Latest Odisha News

BREAKING NEWS

ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ

ୱାଶିଂଟନ: ଆମେରିକାରେ ବର୍ତ୍ତମାନ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି। ମେକ୍ସିକୋରୁ ଆମଦାନୀ ହୋଇଥିବା ଜାଲାପେନୋ ଲଙ୍କା ଖାଇବା ଦ୍ୱାରା ଦେଶର ୨୭ଟି ରାଜ୍ୟରେ ୩୪୫ ଜଣ ଲୋକ ‘ସାଲମୋନେଲା’ ନାମକ ଏକ ମାରାତ୍ମକ ବ୍ୟାକ୍ଟେରିଆରେ ସଂକ୍ରମିତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେରିକାର ସ୍ୱାସ୍ଥ୍ୟ ବିଭାଗ, ବିଶେଷକରି ସେଣ୍ଟର୍ସ ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ଏବଂ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି।

ସୂଚନା ଅନୁଯାୟୀ, ଆକ୍ରାନ୍ତ ହୋଇଥିବା ୩୪୫ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ରୋଗରେ କାହାରି ମୃତ୍ୟୁ ଘଟିନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ସାଲମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଆକ୍ରାନ୍ତ ହେଲେ ମୁଖ୍ୟତଃ ତରଳ ଝାଡ଼ା, ଜ୍ୱର, ବାନ୍ତି ଏବଂ ପେଟ ବିନ୍ଧା ଭଳି ଲକ୍ଷଣ ଦେଖାଦେଇଥାଏ। ଛୋଟ ପିଲା, ବୟସ୍କ ଏବଂ ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) କମ୍ ଥିବା ଲୋକଙ୍କ ପାଇଁ ଏହି ସଂକ୍ରମଣ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମେକ୍ସିକୋର ସିନାଲୋଆ ଅଞ୍ଚଳରୁ ‘କୋଷ୍ଟ୍ ସାଇଟ୍ରସ୍ ଡିଷ୍ଟ୍ରିବ୍ୟୁଟର୍ସ’ ନାମକ ଏକ କମ୍ପାନୀ ଦ୍ୱାରା ଏହି ଜାଲାପେନୋ ଲଙ୍କା ଆମେରିକାକୁ ଆମଦାନୀ କରାଯାଇଥିଲା। ବିଶେଷକରି ଆମେରିକାରେ ଥିବା ଲୋକପ୍ରିୟ ରେଷ୍ଟୁରାଣ୍ଟ ଚେନ୍ ‘ଚିପୋଟଲେ’ ଏବଂ ‘କ୍ୟୁଡୋବା’ କୁ ଏହି ଲଙ୍କା ଯୋଗାଇ ଦିଆଯାଇଥିଲା। ଏହି ସଂକ୍ରମଣର ଖବର ମିଳିବା ପରେ ଉଭୟ ରେଷ୍ଟୁରାଣ୍ଟ ନିଜ ମେନୁରୁ ତୁରନ୍ତ ଏହି ଲଙ୍କାକୁ ହଟାଇ ଦେବା ସହ ଅନ୍ୟ ସ୍ଥାନରୁ ଲଙ୍କା ଆଣିବା ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ, ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କୋଷ୍ଟ୍ ସାଇଟ୍ରସ୍ ଡିଷ୍ଟ୍ରିବ୍ୟୁଟର୍ସ କମ୍ପାନୀ ବଜାରରେ ଥିବା ନିଜର ସମସ୍ତ ବଳକା ଜାଲାପେନୋ ଲଙ୍କାକୁ ପ୍ରତ୍ୟାହାର (ରିକଲ୍) କରିନେବାକୁ ରାଜି ହୋଇଛି। ଏହି ଲଙ୍କା ସିଧାସଳଖ ଗ୍ରୋସରୀ ଷ୍ଟୋରକୁ ପଠାଯାଇନଥିଲେ ମଧ୍ୟ, ସଂକ୍ରମିତ ଲଙ୍କାକୁ ବ୍ୟବହାର କିମ୍ବା ବିକ୍ରି ନକରିବା ପାଇଁ ଏଫଡିଏ ପକ୍ଷରୁ ସମସ୍ତ ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ବ୍ୟବସାୟୀଙ୍କୁ କଡ଼ା ଆଡଭାଇଜରି ଜାରି କରାଯାଇଛି ।

ଏହି ଘଟଣା ପରେ ଆମେରିକାର ରେଷ୍ଟୁରାଣ୍ଟଗୁଡ଼ିକରେ ବ୍ୟବହୃତ ହେଉଥିବା କଞ୍ଚା ପରିବା ଓ ଖାଦ୍ୟ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନ୍ ୧୯ରୁ ଜୁଲାଇ ୨୦ ତାରିଖ ମଧ୍ୟରେ ଏହି ସମସ୍ତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ଏବେ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରଖିଛି। ତଦନ୍ତ ଜାରି ରହିଥିବାରୁ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.