ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଖରିଦା ଗ୍ରାମରେ ଝାଡାବାନ୍ତିରେ ୭୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏକ ଘର ପ୍ରତିଷ୍ଠା ଉତ୍ସବ ଭୋଜି ଖାଇବା ପରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରୁ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି। ଭୋଜି ଖାଇଥିବା ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ରହିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଖରିଦା ଗ୍ରାମର ବିଜୟ ମହାନ୍ତିଙ୍କ ଘର ପ୍ରତିଷ୍ଠା ଉପଲକ୍ଷେ ଗତ ବୁଧବାର ରାତିରେ ଭୋଜି ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇ ଭୋଜି ଖାଇଥିଲେ। ତେବେ ଗୁରୁବାର ସକାଳେ ଜଣକ ପରେ ଜଣେ ଲୋକଙ୍କର ବାନ୍ତି ଓ ଝାଡ଼ା ଆରମ୍ଭ ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସେମାନଙ୍କୁ ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିବା ବେଳେ ଗୁରୁତର ରୋଗୀଙ୍କୁ ସାଲାଇନ ଓ ଆବଶ୍ୟକ ଔଷଧ ଦିଆଯାଉଛି। ଖାଦ୍ୟ ବିଷାକ୍ତ ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
