ମୁମ୍ବାଇ: ଆଜିକାଲି ଅନେକ ଲୋକ ଇଏମ୍ଆଇ କିମ୍ବା ଫାଇନାନ୍ସରେ ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଲ୍ୟାପଟପ୍ କିଣୁଛନ୍ତି। ତେବେ ଠିକ୍ ସମୟରେ ଇଏମ୍ଆଇ ନଦେଲେ କିଛି ଫାଇନାନ୍ସ କମ୍ପାନୀ କିମ୍ବା ବ୍ୟାଙ୍କ ଗ୍ରାହକଙ୍କ ଫୋନକୁ ରିମୋଟ୍ କଣ୍ଟ୍ରୋଲ୍ ଜରିଆରେ ଲକ୍ କରିଦେଉଥିବା ଦେଖିବାକୁ ମିଳୁଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଋଣ ଆଦାୟ ଏବଂ ଡିଭାଇସ୍ ଲକିଂକୁ ନେଇ କିଛି କଡ଼ା ନିୟମ ଲାଗୁ କରିବାକୁ ଯାଉଛି। ଆସନ୍ତା ୨୦୨୭ ମସିହା ଜାନୁଆରୀ ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ।
ଆରବିଆଇର ନୂଆ ନିର୍ଦ୍ଦେଶିକା ଅନୁଯାୟୀ, ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀଗୁଡ଼ିକ କେବଳ ସେହି କ୍ଷେତ୍ରରେ ହିଁ ଫୋନ୍ ବା ଲ୍ୟାପଟପକୁ ଲକ୍ କରିପାରିବେ, ଯେଉଁଥିରେ ସମ୍ପୃକ୍ତ ଡିଭାଇସ୍ କିଣିବା ପାଇଁ ସ୍ୱତନ୍ତ୍ର ଭାବେ ଋଣ ନିଆଯାଇଥିବ। ଯଦି କୌଣସି ଗ୍ରାହକ ପର୍ସନାଲ ଲୋନ୍, ହୋମ୍ ଲୋନ୍ କିମ୍ବା ଗାଡ଼ି କିଣିବା ପାଇଁ ଲୋନ୍ ନେଇଛନ୍ତି ଏବଂ ତାହାର ଇଏମ୍ଆଇ ଦେବାରେ ଖିଲାପ କରିଛନ୍ତି, ତେବେ ଋଣ ଆଦାୟ ଆଳରେ କମ୍ପାନୀ ତାଙ୍କ ମୋବାଇଲ୍ ବନ୍ଦ କରିପାରିବ ନାହିଁ।
ସେହିପରି ଫୋନ୍ କିଣିବା ପାଇଁ ଲୋନ୍ ନେଇଥିଲେ ମଧ୍ୟ ଗୋଟିଏ ଇଏମ୍ଆଇ ବାଉନ୍ସ ହେବା ମାତ୍ରେ ଡିଭାଇସ୍ ଲକ୍ କରାଯାଇପାରିବ ନାହିଁ। ଋଣ ପରିଶୋଧର ଅବଧି ୩୦ ଦିନ ପାର୍ ହେବା ପରେ ହିଁ ଫୋନର କିଛି ଫିଚର୍ ଉପରେ କଟକଣା ଲଗାଯାଇପାରିବ । ସମ୍ପୂର୍ଣ୍ଣ ଭାବେ ଫୋନ୍ ଲକ୍ କରିବା ପାଇଁ କମ୍ପାନୀକୁ ଅତିକମରେ ୬୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ତେବେ ଫୋନ୍ ଲକ୍ ହେବା ପରେ ବି ଇନକମିଂ କଲ୍, ମେସେଜ୍ ଏବଂ ଜରୁରୀକାଳୀନ ସେବା ଆଦିକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି । ଏହାଛଡ଼ା ଫୋନ୍ ଲକ୍ କରିବା ସମୟରେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଯେପରିକି ଫଟୋ, ଭିଡିଓ, କଣ୍ଟାକ୍ଟ ନମ୍ବର ଏବଂ ଲୋକେସନ୍ ଇତିହାସ କମ୍ପାନୀ ନିଜେ ଆକ୍ସେସ୍ କରିପାରିବ ନାହିଁ କିମ୍ବା ଦେଖିପାରିବ ନାହିଁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଗ୍ରାହକ ନିଜର ବକେୟା ରାଶି ପୈଠ କରିଦିଅନ୍ତି, ତେବେ ଟଙ୍କା ଜମା କରିବାର ଗୋଟିଏ ଘଣ୍ଟା ମଧ୍ୟରେ କମ୍ପାନୀକୁ ଫୋନ୍ ଅନଲକ୍ କରିବାକୁ ପଡ଼ିବ। ଯଦି ଏଥିରେ ବିଳମ୍ବ ହୁଏ, ତେବେ ଗ୍ରାହକଙ୍କୁ ଘଣ୍ଟା ପ୍ରତି ୨୫୦ ଟଙ୍କା ହିସାବରେ କ୍ଷତିପୂରଣ ଦେବାକୁ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ବାଧ୍ୟ ହେବେ। ଏହା ସହିତ ଲୋନ୍ ଦେବା ସମୟରେ ହିଁ ଫୋନ୍ ଲକ୍ କରାଯିବା ନିୟମ ବିଷୟରେ ଗ୍ରାହକଙ୍କୁ ସ୍ପଷ୍ଟ ସୂଚନା ଦେବା ଜରୁରୀ ।
ଏହି ନୂଆ ଗାଇଡଲାଇନରେ ରିକୋଭରୀ ଏଜେଣ୍ଟ ମାନଙ୍କ ପାଇଁ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେମାନେ କେବଳ ସକାଳ ୮ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ହିଁ ଗ୍ରାହକଙ୍କୁ ଫୋନ୍ କରିପାରିବେ । ଋଣ ଆଦାୟ ନାଁରେ କୌଣସି ଗ୍ରାହକଙ୍କୁ ଗାଳିଗୁଲଜ କରିବା, ଧମକାଇବା, ସୋସିଆଲ ମିଡିଆରେ ବଦନାମ କରିବା କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ହଇରାଣ କରିବା ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି । ଏପରିକି ଗ୍ରାହକଙ୍କ ଘରକୁ ଯିବା ପୂର୍ବରୁ ଅତିକମରେ ଦିନକ ଆଗରୁ ନୋଟିସ୍ ଦେବାକୁ ପଡ଼ିବ। ଗ୍ରାହକଙ୍କ ସୁରକ୍ଷା ତଥା ଅଧିକାରକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।
