Latest Odisha News

BREAKING NEWS

ଆଇପିଏଲ ୨୦୨୭ରୁ ଓହରିପାରନ୍ତି ଅଷ୍ଟ୍ରେଲିଆର ତାରକା ଟେଷ୍ଟ ଖେଳାଳି !

ନୂଆଦିଲ୍ଲୀ: ଆଇପିଏଲ ୨୦୨୭ରେ ଅଷ୍ଟ୍ରେଲିଆର ପ୍ରମୁଖ ଟେଷ୍ଟ ଖେଳାଳିଙ୍କ ଅଂଶଗ୍ରହଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଦଳର ମୁଖ୍ୟ କୋଚ୍ ଆଣ୍ଡ୍ର‌୍ୟୁ ମ୍ୟାକଡୋନାଲ୍ଡ ସୂଚନା ଦେଇଛନ୍ତି ଯେ ଆଗାମୀ ୧୨ ମାସ ମଧ୍ୟରେ ଅଷ୍ଟ୍ରେଲିଆକୁ ୨୦ଟି ଟେଷ୍ଟ ସହ ମୋଟ ୩୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପଡ଼ିବ । ଏହି ବ୍ୟସ୍ତବହୁଳ ସୂଚୀ ଏବଂ ଖେଳାଳିଙ୍କ ୱର୍କଲୋଡକୁ ଦୃଷ୍ଟିରେ ରଖି କିଛି କଠୋର ନିଷ୍ପତ୍ତି ନିଆଯାଇପାରେ । ଆଗାମୀ ବର୍ଷକ ମଧ୍ୟରେ ଅଷ୍ଟ୍ରେଲିଆ ଦଳ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ବିପକ୍ଷରେ ମୋଟ ୨୦ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏହା ସହ ଜିମ୍ବାୱେ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍, ଜୁନ୍-ଜୁଲାଇ ୨୦୨୭ରେ ଇଂଲଣ୍ଡରେ ଆସେସ୍  ସିରିଜ୍ ଏବଂ ବର୍ଷ ଶେଷରେ ୱାର୍ଲ୍ଡକପ୍ ଖେଳାଯିବ । ମ୍ୟାକଡୋନାଲ୍ଡ କହିଛନ୍ତି ଯେ ଖେଳାଳିଙ୍କ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରେ ।

ପ୍ରାରମ୍ଭିକ ପର‌୍ୟ୍ୟାୟରେ ଖେଳାଳିମାନଙ୍କୁ ଆଇପିଏଲ ଖେଳିବାକୁ ଅନୁମତି ଦିଆଯାଇପାରେ, କିନ୍ତୁ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବଦଳାଯାଇପାରେ । ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାକ ଏବଂ ଜୋସ୍ ହେଜେଲଉଡ୍‌ଙ୍କ ଶାରୀରିକ ଫିଟନେସ୍ ଓ କ୍ଲାନ୍ତି ଉପରେ ଦଳ ମ୍ୟାନେଜମେଣ୍ଟର ସବୁଠାରୁ ଅଧିକ ନଜର ରହିବ । ପ୍ରତିଟି ଟେଷ୍ଟ ମ୍ୟାଚ୍ ପରେ ଖେଳାଳିଙ୍କ ଫିଟନେସ୍ ଆକଳନ କରାଯିବ । ବିଶେଷ କରି ଭାରତ ଗସ୍ତ  ଶେଷ ହେବା ପରେ ହିଁ  ଖେଳିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କୋଚ୍ ସ୍ମରଣ କରାଇଛନ୍ତି ଯେ ୨୦୨୩ରେ କମିନ୍ସ, ଷ୍ଟାକ ଓ ଟ୍ରାଭିସ୍ ହେଡ୍ ବିଶ୍ରାମ ନେଇଥିଲେ, ଯାହା ଫଳରେ ସେମାନେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍, ଆସେସ୍ ଏବଂ ୱାର୍ଲ୍ଡକପ୍ ଜିତିବାରେ ସଫଳ ହୋଇଥିଲେ । ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡର ଏହି ରଣନୀତି ଯୋଗୁଁ ୨୦୨୭ରେ ଅନେକ ଅଷ୍ଟ୍ରେଲୀୟ ତାରକା ଖେଳାଳି ବିଶ୍ରାମ ନେବାର ସମ୍ଭାବନା ଦେଖାଦେଇଛି ।

Leave A Reply

Your email address will not be published.