Latest Odisha News

BREAKING NEWS

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ସମାବେଶ ସଫଳ: ଓଡ଼ିଶାକୁ ମିଳିଲା ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀ ଏବଂ ଏନସିଆର ଠାରେ ଆୟୋଜିତ ଦୁଇ ଦିନିଆ ପୁଞ୍ଜିନିବେଶ ଅଭିଯାନ ଶନିବାର ସଫଳତାର ସହ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଦେଶର ବିଶିଷ୍ଟ ଶିଳ୍ପପତିଙ୍କଠାରୁ ବିପୁଳ ସମର୍ଥନ ପାଇଛନ୍ତି । ଫଳସ୍ୱରୂପ, ଓଡ଼ିଶାକୁ ପ୍ରାୟ ୬୬,୩୯୨ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଏହି ବିପୁଳ ନିବେଶ ଦ୍ୱାରା ଆଗାମୀ ଦିନରେ ରାଜ୍ୟରେ ପ୍ରାୟ ୫୪,୧୩୫ ଟି ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦିଲ୍ଲୀ ଗସ୍ତ କାଳରେ ରାଜ୍ୟ ସରକାର ଏବଂ ବିଭିନ୍ନ ନିବେଶକାରୀ ସଂସ୍ଥା ମଧ୍ୟରେ ୬୪,୭୦୩ କୋଟି ଟଙ୍କାର ୩୮ଟି ରାଜିନାମା ପତ୍ର ସ୍ୱାକ୍ଷରିତ ହୋଇଛି। ଏଥିସହ ୧,୬୮୯ କୋଟି ଟଙ୍କାର ନିବେଶ ପତ୍ର ମଧ୍ୟ ଗ୍ରହଣ କରାଯାଇଛି। ଏହି ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କ ସହ ୪୬ଟି ୱାନ-ଟୁ-ୱାନ ବୈଠକ କରିଥିବା ବେଳେ ମୋଟ ୨୦୮ଟି ଶିଳ୍ପ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ । ଭାରତୀୟ ଶିଳ୍ପ ସଂଘ ଏବଂ ନୋଏଡ଼ା ଆପାରେଲ ଏକ୍ସପୋର୍ଟ କ୍ଲଷ୍ଟର ସହଯୋଗରେ ଆୟୋଜିତ ବିଭିନ୍ନ ବୈଠକରେ ଇଞ୍ଜିନିୟରିଂ ସାମଗ୍ରୀ, ବସ୍ତ୍ର ଏବଂ ପରିଧାନ, ଆଲୁମିନିୟମ ଡାଉନଷ୍ଟ୍ରିମ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା।

ଅଭିଯାନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶର ନୋଏଡ଼ା ସ୍ଥିତ ପ୍ରସିଦ୍ଧ ‘ହାୟର’ କମ୍ପାନିର ଉତ୍ପାଦନ କାରଖାନା ପରିଦର୍ଶନ କରିଥିଲେ। ସେଠାରେ ସେ କମ୍ପାନିର ବରିଷ୍ଠ ଅଧିକାରୀ ତଥା ବୈଷୟିକ ବିଶେଷଜ୍ଞଙ୍କ ସହ ମାନୁଫ୍ୟାକ୍ଚରିଂ ପ୍ରକ୍ରିୟା ଏବଂ ସିଷ୍ଟମ୍ ଉପରେ ସମୀକ୍ଷା କରିଥିଲେ। ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣ ନିର୍ମାଣ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗ ବିଷୟରେ ସେ ଉକ୍ତ କମ୍ପାନିର ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ ।

ଏହି ସମ୍ମିଳନୀ ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଓଡ଼ିଶା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ବିକାଶ ଲକ୍ଷ୍ୟ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିବେଶକମାନଙ୍କଠାରୁ ମିଳିଥିବା ଏହି ଉତ୍ସାହଜନକ ସମର୍ଥନ ରାଜ୍ୟର ଶିଳ୍ପ ପରିବେଶ ଉପରେ ସେମାନଙ୍କର ଆସ୍ଥା ପ୍ରକଟ କରୁଛି। ଡବଲ ଇଞ୍ଜିନ ସରକାରରେ ଆମର ମୁଖ୍ୟ ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆଣିବା ନୁହେଁ, ବରଂ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏବଂ ଓଡ଼ିଶାରେ ଦୀର୍ଘସ୍ଥାୟୀ ଶିଳ୍ପାୟନର ମୂଳଦୁଆ ପକାଇବା।”

ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଥିଲେ ଯେ, ପୁଞ୍ଜିନିବେଶକାରୀଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ଏବଂ ପ୍ରସ୍ତାବଗୁଡ଼ିକୁ ଶୀଘ୍ର କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେବେ । ଓଡ଼ିଶା ଏବେ ଏକ ଅଗ୍ରଣୀ ପୁଞ୍ଜିନିବେଶ କେନ୍ଦ୍ର ପାଲଟିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Leave A Reply

Your email address will not be published.