ପାରାଦୀପ: ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ସମୁଦ୍ରରେ ପହଞ୍ଚିଯାଇଥିବା ଜଣେ ଅଜ୍ଞାତ ଯୁବକଙ୍କୁ ରବିବାର ସକାଳେ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି। ପାରାଦୀପ ସାମୁଦ୍ରିକ ଥାନାର ତତ୍ପରତା ଏବଂ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯୁବକ ଜଣକ ଏକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ପାରାଦୀପ ମେରାଇନ୍ ପୋଲିସ ପକ୍ଷରୁ ନିୟମିତ ସମୁଦ୍ର ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ମହାନଦୀ ମୁହାଣ ନିକଟରେ ସମୁଦ୍ରର ଉତ୍ତାଳ ଢେଉ ମଧ୍ୟରେ ଜଣେ ଯୁବକ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ପୋଲିସ ଟିମ୍ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏକ ଉଦ୍ଧାରକାରୀ ଦଳ ‘ସି-ଲାଇଫ୍’ ନାମକ ବୋଟ୍ ଏବଂ ଲାଇଫ୍ ବୟ ସାହାଯ୍ୟରେ ସମୁଦ୍ର ମଧ୍ୟକୁ ଯାଇ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ। ଏହି ଉଦ୍ଧାର କାର୍ଯ୍ୟ ବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
ଉଦ୍ଧାର ପରେ ଯୁବକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପାରାଦୀପର ଅଥରବାଙ୍କୀ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ତେବେ ଯୁବକ ଜଣକ ବର୍ତ୍ତମାନ ସୁଦ୍ଧା କିଛି କଥା କହିପାରୁନଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ କିମ୍ବା ସେ କେଉଁ ପରିସ୍ଥିତିରେ ନଦୀକୁ ଖସି ପଡିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଏ ସମ୍ପର୍କରେ ପାରାଦୀପ ସାମୁଦ୍ରିକ ଥାନା ଅଧିକାରୀ ସରୋଜକାନ୍ତ ସାମଲ କହିଛନ୍ତି ଯେ, “ପାଟ୍ରୋଲିଂ ବେଳେ ଜଣେ ବ୍ୟକ୍ତି ବୁଡ଼ିଯାଉଥିବା ଦେଖି ଆମେ ତୁରନ୍ତ ଭଡ଼ାରେ ଆଣିଥିବା ବୋଟ୍ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲୁ। ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କଥା କହିବା ଆରମ୍ଭ କଲେ ହିଁ ସେ କେଉଁଠୁ ଆସିଲେ ଏବଂ କିପରି ସମୁଦ୍ର ଭିତରକୁ ଆସିଲେ, ସେ ସମ୍ପର୍କରେ ତଦନ୍ତ କରାଯିବ।”
