Latest Odisha News

BREAKING NEWS

ବିନା ଚେହେରା ଓ ସଂଳାପରେ ଆସିଲା ‘ହୈୱାନ୍’ର ଟିଜର୍: ଅନ୍ଧ ଭୂମିକାରେ ସୈଫ୍, ଖଳନାୟକ ସାଜିଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଦୁଇ ବଡ଼ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ସୈଫ୍ ଅଲ୍ଲୀ ଖାନଙ୍କ ବହୁ ପ୍ରତୀକ୍ଷିତ ଆଗାମୀ ଚଳଚ୍ଚିତ୍ର ‘ହୈୱାନ୍’ର ଦମଦାର ଟିଜର୍ ବୁଧବାର ଦିନ ରିଲିଜ୍ ହୋଇଛି। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସାଇକୋଲୋଜିକାଲ୍ ଥ୍ରିଲର ଫିଲ୍ମର ପ୍ରଥମ ଝଲକ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ୪୫ ସେକେଣ୍ଡର ଏହି ଟିଜରରେ କୌଣସି ଅଭିନେତାଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖାଯାଇନାହିଁ କିମ୍ବା ଗୋଟିଏ ବି ସଂଳାପ ଶୁଣିବାକୁ ମିଳିନାହିଁ। କେବଳ ଲୋମଟାଙ୍କୁରା ଆବହ ସଙ୍ଗୀତ, ଅନ୍ଧକାରମୟ ଛାଇ ଏବଂ ଇସାରା ମାଧ୍ୟମରେ ଏକ ଭୟାନକ ପରିବେଶ ସୃଷ୍ଟି କରାଯାଇଛି ।

ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି, ଯିଏକି ଧଳା ବାଡ଼ି ଓ ସ୍ୱତନ୍ତ୍ର ସ୍ପର୍ଶକାତର ଘଣ୍ଟାର ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ଖିଲାଡ଼ି ବୟ ଅକ୍ଷୟ କୁମାର ଏକ ଭୟଙ୍କର ତଥା ନକାରାତ୍ମକ (ଖଳନାୟକ) ଚରିତ୍ରରେ ଅଭିନୟ କରୁଛନ୍ତି। ଟିଜରରେ ସୈଫ୍‌ଙ୍କ ଉପରେ ଅକ୍ଷୟ କଡ଼ା ନଜର ରଖିଥିବା ଦୃଶ୍ୟ ଏବଂ ଶେଷରେ ଅକ୍ଷୟଙ୍କ ଭୟାନକ ହସ ରହସ୍ୟକୁ ଆହୁରି ଘନୀଭୂତ କରିଛି। ଟିଜରରେ ପଚରାଯାଇଥିବା “ହିରୋ ନା ହୈୱାନ୍?” ପ୍ରଶ୍ନ ଦର୍ଶକଙ୍କ ଉତ୍କଣ୍ଠାକୁ ଦ୍ୱିଗୁଣିତ କରିଦେଇଛି ।

ସୂଚନାଯୋଗ୍ୟ ଯେ, ‘ହୈୱାନ୍’ ହେଉଛି ୨୦୧୬ରେ ମୁକ୍ତିଲାଭ କରିଥିବା ମୋହନଲାଲଙ୍କ ମାଲାୟାଲମ୍ ସୁପରହିଟ୍ ଫିଲ୍ମ ‘ଓପମ୍’ ର ଅଫିସିଆଲ୍ ରିମେକ୍। ଦୀର୍ଘ ୧୮ ବର୍ଷର ବ୍ୟବଧାନ ପରେ ଅକ୍ଷୟ ଏବଂ ସୈଫ୍ ଏକାଠି ବଡ଼ ପରଦାକୁ ଫେରୁଛନ୍ତି। ଶେଷଥର ପାଇଁ ୨୦୦୮ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟସନ୍’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କେଭିଏନ୍ ପ୍ରଡକ୍ସନ୍ସ ଏବଂ ଥେସ୍ପିଆନ୍ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ବୋମନ୍ ଇରାନୀ, ସୈୟାମୀ ଖେର୍ ଏବଂ ଶ୍ରିୟା ପିଲଗାଓଁକର ଅଭିନୟ କରୁଛନ୍ତି ।

ଆସନ୍ତା ୨୦୨୬ ସେପ୍ଟେମ୍ବର ୧୧ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି। ଅକ୍ଷୟଙ୍କୁ ଦୀର୍ଘ ଦିନ ପରେ ଭିଲେନ୍ ଅବତାରରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.