Latest Odisha News

BREAKING NEWS

ସଚିବାଳୟ ହେବ ଆହୁରି ହାଇଟେକ୍, ଆସିବ ‘ଓସ୍ୱାସ ୨.୦’: କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ବିକାଶ ଓ ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ମୋଟ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟତଃ ଆଇଟି (IT), ନବୀକରଣଯୋଗ୍ୟ ଶକ୍ତି ଓ କୃଷି କ୍ଷେତ୍ର ଉପରେ ଏହି ବୈଠକରେ ଫୋକସ୍ କରାଯାଇଛି।

ବୈଠକ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ‘ଓଡ଼ିଶା ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ ଏବଂ ଫ୍ୟାବଲେସ୍ ନୀତି’ରେ ତୃତୀୟ ସଂଶୋଧନ କରାଯାଇଛି। ଏହାଦ୍ୱାରା ରାଜ୍ୟକୁ ବଡ଼ ବଡ଼ ଟେକ୍ କମ୍ପାନୀଙ୍କ ପୁଞ୍ଜିନିବେଶ ଆସିବା ସହ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସେହିପରି ସରକାରୀ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ, ସ୍ୱଚ୍ଛ ତଥା ସମ୍ପୂର୍ଣ୍ଣ କାଗଜବିହୀନ କରିବା ଉଦ୍ଦେଶ୍ୟରେ ‘ଓସ୍ୱାସ ୨.୦’ (OSWAS 2.0 – ଓଡ଼ିଶା ସେକ୍ରେଟାରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍)ର କାର୍ଯ୍ୟକାରିତାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ, ସବୁଜ ଶକ୍ତି ଉତ୍ପାଦନ ଲକ୍ଷ୍ୟରେ ‘ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତି (OREP)’ର କିଛି ନିୟମରେ ପରିବର୍ତ୍ତନ କରାଯାଇଛି ।

ଚାଷୀମାନଙ୍କ ସୁବିଧା ପାଇଁ ଜଳସେଚନ କ୍ଷେତ୍ରରେ ମଧ୍ୟ ବଡ଼ ଘୋଷଣା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୬୮୦ଟି ଚେକ୍ ଡ୍ୟାମ୍ ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ସରକାର ମୋଟ ୩୮୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

Leave A Reply

Your email address will not be published.