କୋଲକାତା:ବେଙ୍ଗଲ୍ ତଥା ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର୍-ବ୍ୟାଟର ଅଭିଷେକ୍ ପୋରେଲ ନିର୍ୟାତନା ଓ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି । ଶୁକ୍ରବାର ଦିନ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଅଗଷ୍ଟ ୧୧ ତାରିଖରେ ପଶ୍ଚିମବଙ୍ଗର ହୁଗୁଳି ପୁଲିସ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋରେଲ୍ଙ୍କୁ ପଚରାଉଚୁରା କରିବା ପରେ ଗିରଫ କରିଥିଲା । ଅଭିଯୋଗକାରିଣୀ (ଜଣେ ମେଡିକାଲ୍ ଛାତ୍ରୀ) କହିଛନ୍ତି ଯେ ଅଭିଷେକ୍ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ସମ୍ପର୍କ ଭାଙ୍ଗିଯିବା ପରେ କିଛି ଆପତ୍ତିଜନକ ଫଟୋ ଭାଇରାଲ୍ କରିଦେବାର ଧମକ ମଧ୍ୟ ଦେଇଥିଲେ ।
୨୦୨୬ ଏପ୍ରିଲ୍ ୨ ତାରିଖରେ ଦିଲ୍ଲୀରେ ତାଙ୍କୁ ବେଆଇନ ଭାବେ ଗୋଟିଏ ସ୍ଥାନରେ ଅଟକ ରଖାଯାଇଥିଲା । ସେଠାରେ ତାଙ୍କୁ ଖାଇବାକୁ ଦିଆଯାଇ ନଥିଲା ଏବଂ ମାନସିକ ଓ ଶାରୀରିକ ନିର୍ୟାତନା ଦିଆଯାଇଥିଲା, ଯାହା ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଯୁବତୀଜଣକ କହିଛନ୍ତି ଯେ ଉଭୟ ପରିବାର ମଧ୍ୟରେ ବିବାହ ନେଇ ଆଲୋଚନା ଚାଲିଥିବା ସମୟରେ ଅଭିଷେକ୍ଙ୍କ ଅନ୍ୟ ଯୁବତୀମାନଙ୍କ ସହ ସମ୍ପର୍କ ଥିବା କଥା ସେ ଜାଣିବାକୁ ପାଇଥିଲେ । ପୁଲିସ ଅଭିଷେକ୍ ପୋରେଲ୍ଙ୍କ ବିରୋଧରେ ଦୁଷ୍କର୍ମ, ବ୍ଲାକମେଲିଂ ଏବଂ ବେଆଇନ ଭାବେ ଅଟକ ରଖିବା ଭଳି ୧୯ଟି ସଙ୍ଗୀନ ଧାରାରେ ମାମଲା ରୁଜୁ କରିଛି, ଯେଉଁଥିରୁ ଅଧିକାଂଶ ଅଣ-ଜାମିନଯୋଗ୍ୟ ଅଟେ ।
