Latest Odisha News

BREAKING NEWS

ୟୁଜିସି-ନେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ତ୍ରୁଟି ଯୋଗୁଁ ୩ଟି ବିଷୟର ପୁନଃ ପରୀକ୍ଷା କରାଇବ ଏନ୍‌ଟିଏ

ନୂଆଦିଲ୍ଲୀ: ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷାର ଇଂରାଜୀ, କମର୍ସ ଏବଂ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ସାମ୍ନାକୁ ଆସିବା ପରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ପ୍ରଶ୍ନପତ୍ରରେ ତ୍ରୁଟି ଏବଂ ପୁନରାବୃତ୍ତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଏନ୍‌ଟିଏ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ ଏହି ତିନୋଟି ବିଷୟର ପୁନଃ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଏହି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା (ପ୍ରଥମ ସିଫ୍ଟ) ପର୍ଯ୍ୟନ୍ତ ଇଂରାଜୀ ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା (ଦ୍ୱିତୀୟ ସିଫ୍ଟ) ପର୍ଯ୍ୟନ୍ତ କମର୍ସ ବିଷୟର ପରୀକ୍ଷା କରାଯିବ। ସେହିପରି ସେପ୍ଟେମ୍ବର ୧୦ ତାରିଖ ସକାଳ ୯ଟାରୁ ଦିନ ୧୨ଟା (ପ୍ରଥମ ସିଫ୍ଟ) ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ।

ପୂର୍ବରୁ ଗତ ଜୁନ୍ ୨୨ ରୁ ୩୦ ତାରିଖ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ରରେ ବ୍ୟାକରଣଗତ ତ୍ରୁଟି, ଅନୁବାଦରେ ଅସଙ୍ଗତି, ପୁସ୍ତକ ଓ ନାମର ଭୁଲ୍ ବନାନ ଏବଂ ବହୁ ପୁରୁଣା ପ୍ରଶ୍ନର ପୁନରାବୃତ୍ତି ହୋଇଥିବା ବିଶେଷଜ୍ଞ କମିଟି ନିଜ ରିପୋର୍ଟରେ ଦର୍ଶାଇଥିଲେ । କେବଳ ଭୁଲ୍ ପ୍ରଶ୍ନଗୁଡ଼ିକୁ ବାଦ୍ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ହୃଦୟଙ୍ଗମ କରିବା ପରେ ଏନ୍‌ଟିଏ ଏହି ପୁନଃ ପରୀକ୍ଷା ନିଷ୍ପତ୍ତି ନେଇଛି।

ବିଶେଷ କରି, ଏହି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତେବେ ପରୀକ୍ଷା କେନ୍ଦ୍ର ଓ ସହର ସମ୍ପର୍କରେ ଖୁବ୍‌ଶୀଘ୍ର ନୂଆ ଆଡମିଟ୍ କାର୍ଡ ଜାରି କରାଯିବ । ଅନ୍ୟପଟେ, ବାକି ୮୪ଟି ବିଷୟର ଫଳାଫଳ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଜାରି ରହିବ ।

Leave A Reply

Your email address will not be published.