Latest Odisha News

BREAKING NEWS

‘ବନ୍ଦେ ମାତରମ୍’ ବିବାଦ: ସୋନିଆ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଡ଼ା ସମାଲୋଚନା, କହିଲେ ‘ଦେଶକୁ କ୍ଷମା ମାଗନ୍ତୁ’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ଅଧାରୁ ବନ୍ଦ ହେବା ଅଭିଯୋଗକୁ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘଟଣାକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ରବିବାର ରାଜସ୍ଥାନର ଚିତ୍ତୋରଗଡ଼ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଦେଶବାସୀଙ୍କୁ ଏବଂ ‘ବନ୍ଦେ ମାତରମ୍’ ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ଆତ୍ମାକୁ କ୍ଷମା ମାଗିବା ଉଚିତ୍ ।

ପ୍ରକାଶ ଥାଉ କି, ଅଗଷ୍ଟ ୧୫ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ‘ବନ୍ଦେ ମାତରମ୍’ ଗାନ କରାଯାଉଥିବା ବେଳେ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇସାରା କରି ଏହାକୁ ଅଟକାଇବାକୁ କହିଥିଲେ ବୋଲି ବିଜେପି ଅଭିଯୋଗ କରିଛି। ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ।

ଏହାକୁ ଏକ ‘ଅକ୍ଷମଣୀୟ ପାପ’ ବୋଲି ଆଖ୍ୟା ଦେଇ ଅମିତ ଶାହ କହିଛନ୍ତି ଯେ, “ଦେଶର ୧୪୦ କୋଟି ଜନତା ଏହା ଦେଖୁଛନ୍ତି। କଂଗ୍ରେସ ନେତାମାନଙ୍କୁ ଲାଜ ଲାଗିବା ଦରକାର। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଦଳ ‘ବନ୍ଦେ ମାତରମ୍’କୁ ଭୁଲିଯାଇଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ସ୍ୱାଧୀନ ହେବା ପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀ ଏହି ଗୀତ ଗାଇ ଗାଇ ଇଂରେଜମାନଙ୍କ ଗୁଳି ଓ ଲାଠି ମାଡ଼ ଖାଇଥିଲେ।

ଅନ୍ୟପକ୍ଷରେ, କଂଗ୍ରେସ ବିଜେପିର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। କଂଗ୍ରେସର କହିବା ଅନୁଯାୟୀ, ସୋନିଆ ଗାନ୍ଧୀ କେବଳ ଦଳର ଅଧ୍ୟକ୍ଷ ଖଡ଼ଗେଙ୍କ ପାଇଁ ଏକ ଚୌକି ବ୍ୟବସ୍ଥା କରିବାକୁ କହୁଥିଲେ। କାର୍ଯ୍ୟକ୍ରମ ସ୍ଥଳରେ କେବଳ ଶୃଙ୍ଖଳା ରକ୍ଷା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ଏବଂ ‘ବନ୍ଦେ ମାତରମ୍’ ବନ୍ଦ କରିବା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Leave A Reply

Your email address will not be published.