ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୯ ମାସର ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି।
ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ଜନ୍ମ ହୋଇଥିଲା ସାଧାରଣ ଲାଲ ରଙ୍ଗର ଅଣ୍ଡିରା ଶାବକ। ଡିସେମ୍ବର ୨୭, ୨୦୨୫ରେ ବାଘ ଅମିତ ଏବଂ ବାଘୁଣୀ ଜୟଶ୍ରୀ ମିଳନରୁ ତିନୋଟି ଛୁଆ ଜନ୍ମ ହୋଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଟି ଛୁଆ ମରିଯାଇଥିଲା ବେଳେ ଅନ୍ୟ ଛୁଆଟିକୁ ଜୟଶ୍ରୀ ଗ୍ରହଣ କରିନଥିଲା। ଫଳରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ଶାବକଟିକୁ ତା’ର ମାଆଠାରୁ ଅଲଗା କରି ପାଳନ କେନ୍ଦ୍ରରେ ରଖିଥିଲେ।
ଅଗଷ୍ଟ ୧୪ ତାରିଖ ରାତିରେ ଶାବକଟି ହଠାତ୍ ଅସୁସ୍ଥ ହୋଇପଡିଥିଲା ବେଳେ ଖାଦ୍ୟ ଖାଇବା କମ୍ କରିଦେଇଥିଲା। ସେ ଦୁର୍ବଳ ହୋଇ ପଡ଼ିବାରୁ ପଶୁଚିକିତ୍ସକମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଟେଷ୍ଟ ପାଇଁ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ। ତଥାପି ବାଘ ଛୁଆଟିର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା।
ଡାକ୍ତରଙ୍କ ବହୁ ପ୍ରୟାସ ସତ୍ତ୍ୱେ ଶେଷରେ ବାଘ ଛୁଆଟି ମୃତ୍ୟୁ ବରଣ କରିଥିଲା। ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଏହି ଶାବକର ମୃତ୍ୟୁ ସହିତ ନନ୍ଦନକାନନରେ ବାଘ ସଂଖ୍ୟା ବର୍ତ୍ତମାନ ୨୬କୁ ହ୍ରାସ ପାଇଛି।
