ଭୁବନେଶ୍ବର:୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଧାନ ପାଣ୍ଠିର ଅପବ୍ୟବହାର କରି ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତୁଷୁରା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ପ୍ରାଥମିକ କୃଷି ସମବାୟ ସମିତି (PACS) ର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ର।
ସନୋଜ ମିଶ୍ର ସ୍ଥାନୀୟ ଚାଷୀଙ୍କଠାରୁ ଧାନ ସଂଗ୍ରହ ପରିଚାଳନା କରିବା ଏବଂ କଷ୍ଟମ୍ ମିଲିଂ ପାଇଁ ନିର୍ଦ୍ଦିଷ୍ଟ (ଟ୍ୟାଗ୍ ହୋଇଥିବା) ଚାଉଳ ମିଲରମାନଙ୍କୁ ସମୟାନୁସାରେ ପଠାଯିବା ଦାୟିତ୍ବରେ ଥିଲେ । ସୂଚନାଥାଉକି, ସରକାରୀ ପାଣ୍ଠି ବ୍ୟବହାର କରି କ୍ରୟ କରାଯାଇଥିବା ବିପୁଳ ପରିମାଣର ଧାନ ମିଲରମାନଙ୍କୁ ପ୍ରଦାନ କରାଯାଇ ନଥିଲା କିମ୍ବା ସୋସାଇଟିର ଷ୍ଟକ୍ ରେକର୍ଡରେ ଲେଖାଯାଇ ନଥିଲା। ଫଳରେ ସୋସାଇଟିକୁ ସିଧାସଳଖ ୪୨,୩୧,୬୦୮ ଟଙ୍କା ଆର୍ଥିକ କ୍ଷତି ହୋଇଥିଲା । ୨୦୧୪-୧୫ ଖରିଫ ମାର୍କେଟିଂ ଋତୁରେ ଆର୍ଥିକ ଅନିୟମିତତା ହୋଇଥିଲା । ଭିଜିଲାନ୍ସ ଟିମର ତଦନ୍ତ କରି ତୁଷୁରା ପାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଛି ।
