ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ନିକଟରେ ଛାତ୍ର ସମସ୍ୟାକୁ ନେଇ ଦେଶରେ ହୋଇଥିବା Gen-Z ଆନ୍ଦୋଳନର ଉଦାହରଣ ଦେଇ ରାହୁଲ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ଦେଶର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ନିଜ ହକ୍ ପାଇଁ ନୂଆପିଢ଼ିଙ୍କ ଭଳି ରାଜରାସ୍ତାକୁ ଓହ୍ଲାନ୍ତି, ତେବେ ପରିସ୍ଥିତି କ’ଣ ହେବ?
ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ କଂଗ୍ରେସର ଏକ ଓବିସି ବିଭାଗ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାହୁଲ କହିଛନ୍ତି, “ସରକାର ପ୍ରଥମେ ଜାତିଭିତ୍ତିକ ଜନଗଣନା ଦାବିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଉଥିଲେ। ଯେଉଁମାନେ ଏହି ପ୍ରସଙ୍ଗ ଉଠାଉଥିଲେ ସେମାନଙ୍କୁ ‘ଅର୍ବାନ ନକ୍ସଲ’ ଆଖ୍ୟା ଦିଆଯାଉଥିଲା।” କିନ୍ତୁ କ୍ରମାଗତ ରାଜନୈତିକ ଚାପ ଏବଂ ଓବିସି ବର୍ଗର ବିଶାଳ ଜନସଂଖ୍ୟାକୁ ଦେଖି ସରକାର ଶେଷରେ ଜାତିଗତ ତଥ୍ୟ ସଂଗ୍ରହ ପାଇଁ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି। ତେବେ ଆଗାମୀ ଦିନରେ ହେବାକୁ ଥିବା ଜନଗଣନାରେ ଓବିସି ବର୍ଗର ପ୍ରକୃତ ପ୍ରତିନିଧିତ୍ୱ ସାମ୍ନାକୁ ଆସିବ କି ନାହିଁ, ତାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବାବେଳେ, ଓବିସିମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନଥିବା ସେ ଅଭିଯୋଗ କରିଛନ୍ତି। କେବଳ ସଂଖ୍ୟା ଗଣିଦେଲେ ହେବ ନାହିଁ, ବରଂ ପଛୁଆ ବର୍ଗଙ୍କୁ ସଠିକ୍ ପ୍ରତିନିଧିତ୍ୱ ମିଳିବା ଜରୁରୀ ବୋଲି ରାହୁଲ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଜାତିଭିତ୍ତିକ ଜନଗଣନାର ଶ୍ରେୟ କଂଗ୍ରେସ ନେବାକୁ ଚେଷ୍ଟା କରୁଥିବା ଦର୍ଶାଇ ବିଜେପି ପଲଟା ଆକ୍ରମଣ କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୨୦୨୭ ମସିହାରେ ହେବାକୁ ଥିବା ଜନଗଣନାରେ ଜାତିଗତ ତଥ୍ୟ ସଂଗ୍ରହ କରାଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଏହି ତଥ୍ୟ ସଂଗ୍ରହ ହେବ, ଯାହାକି ସ୍ୱାଧୀନତା ପରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ଜାତିଗତ ଡିଜିଟାଲ୍ ଜନଗଣନା ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ ଦଶନ୍ଧି ଧରି କ୍ଷମତାରେ ଥାଇ କଂଗ୍ରେସ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରୁଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ନେଇ କେବଳ ରାଜନୀତି କରୁଛି।
ତେବେ ନିଜର ଦାବି ହାସଲ କରିବା ପାଇଁ ଛାତ୍ରସମାଜ ଯେପରି ସରକାରଙ୍କୁ ବାଧ୍ୟ କଲେ, ଓବିସି ସମ୍ପ୍ରଦାୟ ଏକାଠି ହେଲେ ସରକାରଙ୍କ ପାଖରେ ଦାବି ମାନିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବୋଲି ଏହି ବୈଠକ ମାଧ୍ୟମରେ ରାହୁଲ ଏକ ବଡ଼ ରାଜନୈତିକ ବାର୍ତ୍ତା ଦେଇଛନ୍ତି।

