Vijay Govt U-turn: ୟୁ-ଟର୍ଣ୍ଣ ନେଲେ ବିଜୟ ସରକାର; କକ୍ରୋଚଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ! ୨ ଦିନରେ ନିଷ୍ପତ୍ତି ବଦଳାଇଲେ…
ଚେନ୍ନାଇ: ତାମିଲନାଡ଼ୁରେ ଛାତ୍ର ଓ ଯୁବକଙ୍କୁ ନେଇ ସରକାରଙ୍କ ଏକ ନିର୍ଦ୍ଦେଶକୁ ନେଇ ରାଜନୀତି ତୀବ୍ର ହୋଇଛି। ତାମିଲନାଡ଼ୁ ସରକାର ପ୍ରଥମେ ସରକାରୀ କଳା ଓ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବକଙ୍କୁ କିଛି କକ୍ରୋଚ୍ ଜନତା ପାର୍ଟିର କୌଣସି ବିକ୍ଷୋଭ କିମ୍ବା ରାଜନୈତିକ ଦଳ ଏବଂ ବାମପନ୍ଥୀ ସଂଗଠନର ବିକ୍ଷୋଭ ଓ ଆନ୍ଦୋଳନରେ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଥିଲା। ହେଲେ ମାତ୍ର କିଛି ଦିନ ପରେ ସରକାର ନିଜ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି ।
ଅଗଷ୍ଟ ୧୭ରେ କଲେଜିଏଟ୍ ଶିକ୍ଷା ବିଭାଗ ପକ୍ଷରୁ ସରକାରୀ କଳା ଓ ବିଜ୍ଞାନ କଲେଜର ପ୍ରିନ୍ସିପାଲମାନଙ୍କୁ ଏକ ଚିଠି ଜାରି ହୋଇଥିଲା। ଛାତ୍ରଛାତ୍ରୀ ଓ ଯୁବକମାନେ ବିକ୍ଷୋଭ ଏବଂ ଆନ୍ଦୋଳନରେ ଯେପରି ସାମିଲ ନହୁଅନ୍ତି, ସେଥିପାଇଁ ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ କରି ପଦକ୍ଷେପ ନେବାକୁ କୁହାଯାଇଥିଲା। ଏହାକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଯାଇଥିଲା। ଏପରିକି କଲେଜଗୁଡ଼ିକ ନେଇଥିବା ପଦକ୍ଷେପର ରିପୋର୍ଟ ତୁରନ୍ତ କଲେଜିଏଟ୍ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଥିଲା।
ଏହି ନିର୍ଦ୍ଦେଶକୁ ନେଇ ସମ୍ପୃକ୍ତ ରାଜନୈତିକ ଗୋଷ୍ଠୀ ଓ ବିରୋଧୀମାନେ ଆପତ୍ତି ଉଠାଇଥିଲେ। ଏହାକୁ ସାମ୍ବିଧାନିକ ଅଧିକାର ବିରୋଧୀ ବୋଲି ଦାବି କରାଯାଇଥିଲା। ବିଶେଷକରି NEETକୁ ନେଇ ତାମିଲନାଡ଼ୁରେ ଛାତ୍ର ସଂଗଠନଗୁଡ଼ିକର ବିକ୍ଷୋଭ ଚାଲିଥିବା ସମୟରେ ଏହି ନିର୍ଦ୍ଦେଶ ଆସିବାରୁ ବିବାଦ ଆହୁରି ବଢ଼ିଥିଲା।
ସରକାରଙ୍କ ନିଷ୍ପତ୍ତିକୁ BJP ନେତା ବିନୋଜ ପି. ସେଲଭମ ସମର୍ଥନ କରିଥିଲେ। ସେ ବାମପନ୍ଥୀ ସଂଗଠନ ଓ CJPକୁ ଛାତ୍ରମାନଙ୍କୁ ଭୁଲ୍ ବାଟରେ ନେଉଥିବା ଅଭିଯୋଗ କରିଥିଲେ। ଛାତ୍ରମାନେ ଆନ୍ଦୋଳନରେ ନପଶି ନିଜ ପାଠପଢ଼ା ଓ ଭବିଷ୍ୟତ ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଥିଲେ। ଏଥିସହ ସହଯୋଗୀ ଦଳର ଚାପରେ ସରକାର ନିର୍ଦ୍ଦେଶ ପ୍ରତ୍ୟାହାର ନକରୁ ବୋଲି ମଧ୍ୟ ସେ ଆହ୍ୱାନ ଦେଇଥିଲେ।
ହେଲେ ବିବାଦ ବଢ଼ିବା ପରେ ତାମିଲନାଡ଼ୁ ସରକାର ବୁଧବାର ଅଗଷ୍ଟ ୧୭ରେ ଜାରି କରିଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। କଲେଜିଏଟ୍ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସିନ୍ଥିଆ ସେଲଭି ପି. ଏନେଇ ସମସ୍ତ ସରକାରୀ କଳା ଓ ବିଜ୍ଞାନ କଲେଜର ପ୍ରିନ୍ସିପାଲଙ୍କୁ ଜଣାଇଛନ୍ତି। ଅର୍ଥାତ୍, ଛାତ୍ର ଓ ଯୁବକଙ୍କୁ ନିର୍ଦ୍ଦିଷ୍ଟ ବିକ୍ଷୋଭରୁ ଦୂରେଇ ରଖିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା, ଏବେ ତାହା ଆଉ ବଳବତ୍ତର ନାହିଁ। NEETକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସରକାରଙ୍କ ଏହି ୟୁ-ଟର୍ଣ୍ଣ ତାମିଲନାଡ଼ୁ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି।

