Latest Odisha News

BREAKING NEWS

AI Viruses: ରୋଗ ଭଲ କରିବ ନା ବଢ଼ାଇବ ବିପଦ? AIରେ ତିଆରି ହେଲା ୧୬ ନୂଆ ଭାଇରସ୍‌!

ନୂଆଦିଲ୍ଲୀ: AI ତିଆରି କଲା ଭାଇରସ୍‌ର ଜିନୋମ୍! ବଞ୍ଚାଇବ ନା ଲୋକଙ୍କୁ ମାରିବ?

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଏବେ କେବଳ ତଥ୍ୟ ବିଶ୍ଳେଷଣ କିମ୍ବା ଚାଟ୍‌ବଟ୍‌ରେ ସୀମିତ ନାହିଁ। ବୈଜ୍ଞାନିକମାନେ AIର ସହାୟତାରେ ନୂଆ ଭାଇରସ୍‌ ଡିଜାଇନ୍ କରିବାରେ ସଫଳ ହୋଇଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଗବେଷକମାନେ ଏପରି ୧୬ଟି ନୂଆ ଭାଇରସ୍ ତିଆରି କରିଛନ୍ତି, ଯାହା ବ୍ୟାକ୍ଟେରିଆକୁ ଆକ୍ରମଣ କରିପାରେ। ଏହି ଗବେଷଣା ଭବିଷ୍ୟତରେ ନୂଆ ଚିକିତ୍ସା ପଦ୍ଧତିର ରାସ୍ତା ଖୋଲିପାରେ, କିନ୍ତୁ ଏହାର ଦୁରୁପଯୋଗକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି।

ଗବେଷକମାନେ ଏଭଳି ଭାଇରସ୍‌ ଉପରେ କାମ କରିଛନ୍ତି, ଯାହା ମଣିଷ କିମ୍ବା ପଶୁକୁ ନୁହେଁ, ବରଂ ବ୍ୟାକ୍ଟେରିଆକୁ ଆକ୍ରମଣ କରେ। ଏହି ପ୍ରକାରର ଭାଇରସ୍‌କୁ ବ୍ୟାକ୍ଟେରିଓଫେଜ୍ କୁହାଯାଏ। AIକୁ ବ୍ୟବହାର କରି ଗବେଷକମାନେ ହଜାର ହଜାର ସମ୍ଭାବ୍ୟ ଜିନୋମ୍ ଡିଜାଇନ୍ କରିଥିଲେ। ସେଥିରୁ ୩୦୨ଟି ଜିନୋମ୍‌କୁ ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଥିଲା। ପରୀକ୍ଷା ପରେ AI ଦ୍ୱାରା ଡିଜାଇନ୍ ହୋଇଥିବା ୧୬ଟି ଭାଇରସ୍‌ ଇ. କୋଲାଇ ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସଫଳ ହୋଇଥିଲା। ବିଶେଷ କଥା ହେଉଛି, ଏହି ଭାଇରସ୍‌ଗୁଡ଼ିକ ଇ. କୋଲାଇର ଏପରି ଦୁଇଟି ଷ୍ଟ୍ରେନ୍‌ ବିରୋଧରେ ମଧ୍ୟ କାମ କରିଥିଲା, ଯେଉଁଗୁଡ଼ିକ ପ୍ରାକୃତିକ ଭାବେ ମିଳୁଥିବା ବ୍ୟାକ୍ଟେରିଓଫେଜ୍‌ ବିରୋଧରେ ପ୍ରତିରୋଧକ ଶକ୍ତି ବିକଶିତ କରିଥିଲେ।

ବୈଜ୍ଞାନିକମାନଙ୍କ ଏହି ସଫଳତା ଏପରି ଏକ ସମୟରେ ଆସିଛି, ଯେତେବେଳେ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଅନେକ ବ୍ୟାକ୍ଟେରିଆ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ ବିରୋଧରେ ମଧ୍ୟ ପ୍ରତିରୋଧକ ହୋଇଯାଉଛନ୍ତି। ଏଭଳି ପରିସ୍ଥିତିରେ ବ୍ୟାକ୍ଟେରିଆକୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ୍‌ କରୁଥିବା ବ୍ୟାକ୍ଟେରିଓଫେଜ୍‌ ଭବିଷ୍ୟତରେ ନୂଆ ଚିକିତ୍ସା ଓ ଔଷଧ ବିକାଶରେ ସହାୟକ ହୋଇପାରେ। ଗବେଷକମାନଙ୍କ ମତରେ, ଏହି ପ୍ରଯୁକ୍ତିର ଆଗାମୀ ଦିନରେ ଜଟିଳ ରୋଗର ଚିକିତ୍ସା ସମ୍ପର୍କିତ ଗବେଷଣାରେ ମଧ୍ୟ ଉପଯୋଗ ହୋଇପାରେ। ତେବେ ଏହା ଏବେ ଚିକିତ୍ସାରେ ପ୍ରମାଣିତ ସମାଧାନ ହୋଇଯାଇଛି ବୋଲି କହିବା ଠିକ୍‌ ହେବ ନାହିଁ।

କାରଣ ଏହି ଗବେଷଣାର ଅନ୍ୟ ଏକ ଦିଗ ବୈଜ୍ଞାନିକ ମହଲକୁ ଚିନ୍ତାରେ ପକାଇଛି। AI ଦ୍ୱାରା ଲ୍ୟାବ୍‌ରେ ନୂଆ ଜୀବାଣୁର ଜିନୋମ୍ ଡିଜାଇନ୍ କରିବା ସମ୍ଭବ ବୋଲି ଏହି ଗବେଷଣା ଦେଖାଇଛି। ତେଣୁ ଏଭଳି ପ୍ରଯୁକ୍ତିର ଦୁରୁପଯୋଗ ହେଲେ ବିପଦଜନକ ପାଥୋଜେନ୍ ତିଆରି ହେବାର ଆଶଙ୍କା ନେଇ କିଛି ବୈଜ୍ଞାନିକ ସତର୍କ କରିଛନ୍ତି। ତେବେ ଏହି ଗବେଷଣାରେ ମଣିଷକୁ ସଂକ୍ରମିତ କରୁଥିବା ଭାଇରସ୍‌ ନୁହେଁ, କେବଳ ବ୍ୟାକ୍ଟେରିଆକୁ ଟାର୍ଗେଟ୍ କରୁଥିବା ଭାଇରସ୍‌ ଉପରେ କାମ କରାଯାଇଥିଲା । ଗବେଷକମାନେ AIର ଟ୍ରେନିଂ ଡାଟାରୁ ମଣିଷ, ପଶୁ ଓ ଉଦ୍ଭିଦକୁ ସଂକ୍ରମିତ କରୁଥିବା ଭାଇରସ୍‌ର ଜେନେଟିକ୍ ସୂଚନାକୁ ହଟାଇଥିଲେ। ଏହାଦ୍ୱାରା ବିପଦଜନକ ପାଥୋଜେନ୍ ଡିଜାଇନ୍ ହେବାର ସମ୍ଭାବ୍ୟକୁ କମାଇବା ଚେଷ୍ଟା କରାଯାଇଥିଲା।

କିନ୍ତୁ ବୈଜ୍ଞାନିକମାନଙ୍କ ଚିନ୍ତା ହେଉଛି, AI ଦ୍ୱାରା ନୂଆ ଭାଇରସ୍‌ର ଜିନୋମ୍ ଡିଜାଇନ୍ କରିବାର କ୍ଷମତା ଦ୍ରୁତ ଭାବେ ବଢ଼ୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରୁଥିବା ନିୟମ ଓ ସୁରକ୍ଷା ବ୍ୟବସ୍ଥା ସେହି ଗତିରେ ବିକଶିତ ହୋଇନାହିଁ। ତେଣୁ ଏହି ଗବେଷଣା ଏକପଟେ ନୂଆ ଚିକିତ୍ସାର ଆଶା ସୃଷ୍ଟି କରୁଥିବା ବେଳେ, ଅନ୍ୟପଟେ AI ଓ ବାୟୋଟେକ୍ନୋଲୋଜିର ଦୁରୁପଯୋଗକୁ କିପରି ରୋକାଯିବ, ତାହା ନେଇ ବଡ଼ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି।

Leave A Reply

Your email address will not be published.