ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣାରେ ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ହୋଇଛି। ୧୧୩ ଜଣଙ୍କୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଖାରବେଳ ନଗର ଥାନାରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ ୩୫୪ ଗାଡ଼ି ଜବତ କରାଯାଇଛି। ସେହିପରି ଭଲ ବ୍ୟବହାର ପାଇଁ ୬୦ ଜଣଙ୍କୁ ଛାଡ଼ିଛି ପୋଲିସ। ଚିହ୍ନଟ ହୋଇଥିବା ପ୍ରାୟ ୪୦୦ ଆପ୍-ଭିତ୍ତିକ କ୍ୟାବ୍ ଏବଂ ଅଟୋ-ରିକ୍ସା ବିରୋଧରେ ଓଡ଼ିଶା ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଅତିରିକ୍ତ ପରିବହନ କମିଶନର ସମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ଘଟଣାଗୁଡ଼ିକରେ ସମ୍ପୃକ୍ତ ଥିବା ଗାଡ଼ିଗୁଡ଼ିକର ପରମିଟ୍ ବାତିଲ କରିବା ପ୍ରକ୍ରିୟା ବିଭାଗ ଆରମ୍ଭ କରିଛି।ବିଭାଗ ସମ୍ପୃକ୍ତ ଗାଡ଼ିଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର (ଆରସି) ବାତିଲ କରିବା ନେଇ ଯାଞ୍ଚ କରୁଛି। ଭବିଷ୍ୟତରେ ଏପରି ଗାଡ଼ିଗୁଡ଼ିକୁ ଓଡ଼ିଶାର କୌଣସି ସ୍ଥାନରେ ଚଳାଚଳ କରିବାରୁ ରୋକିବା ପାଇଁ ଅଧିକାରୀ ମାନେ ବିଚାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର- ୧ ଆରଟିଓ ପକ୍ଷରୁ ସମ୍ପୃକ୍ତ ସମସ୍ତ ପଞ୍ଜୀକୃତ ମାଲିକ ତଥା ପରମିଟ୍ ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗତକାଲି ଘଟିଥିବା ବେଆଇନ ଘେରାଉ ଓ ରାସ୍ତାରୋକ ଯୋଗୁଁ ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା।

