ନୂଆଦିଲ୍ଲୀ: ପରିବା ଓ ପିଆଜ ପରେ ଖାଉଟିଙ୍କ ଉପରେ ଚିନି ମାଡ। ମାସକରେ କିଲୋ ପିଛା ବଢିଲାଣି ୨୫ ଟଙ୍କା। କଲବଲ ହେବେ ଚା ଏବଂ ମିଠା ବ୍ୟବସାୟୀ। ରାକ୍ଷୀ ପୂର୍ଣ୍ଣିମାରେ ମିଠା ବଜାର ଉପରେ ପଡିପାରେ ପ୍ରଭାବ। ସେପଟେ ଚିନି ଉପରୁ ଆମଦାନୀ ହଟାଇଲା କେନ୍ଦ୍ର। ଦେଶରେ ଚିନି ଦରକୁ ନିୟନ୍ତ୍ରଣରେ ରଖିବା ଏବଂ ସ୍ଥିତି ସନ୍ତୁଳିତ ରଖିବା ପାଇଁ ସରକାରଙ୍କ ଆଗରେ ଆଗୁଆ ଉତ୍ପାଦନ ପାଇଁ ସର୍ତ୍ତ ରଖିଲା ସୁଗାର ଆସୋସିଏସନ୍।
ଆଗାମୀ ଋତୁରେ ଚିନି କଳଗୁଡ଼ିକ ସ୍ଥିର ସମୟଠାରୁ ୧୫-୨୦ ଦିନ ପୂର୍ବରୁ ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ‘ଇଣ୍ଡିଆନ୍ ସୁଗର୍ ଆଣ୍ଡ୍ ବାୟୋ-ଏନର୍ଜି ମାନୁଫାକ୍ଚର୍ସ ଆସୋସିଏସନ୍’ (ISMA) ର ମହାନିର୍ଦ୍ଦେଶକ ଦୀପକ ବଲ୍ଲାନୀ ଏହି ସୂଚନା ଦେଇଛନ୍ତି । ତେବେ, ଏହା ପଛରେ ଶିକ୍ଷା ଓ ଶିଳ୍ପ ଜଗତ ପକ୍ଷରୁ ସରକାରଙ୍କ ନିକଟରେ ଏକ ସର୍ତ୍ତ ବା ଦାବି ରଖାଯାଇଛି । ଚଳିତ ଚିନି ସିଜିନ୍ ସେପ୍ଟେମ୍ବର ୩୦ରେ ଶେଷ ହେବ। ସେତେବେଳକୁ ଦେଶରେ ପ୍ରାୟ ୪୦ ଲକ୍ଷ ଟନ୍ ଚିନି ମହଜୁଦ୍ ରହିବାର ଆକଳନ କରାଯାଇଛି। ଅକ୍ଟୋବର ମାସରେ ୨୪-୨୫ ଲକ୍ଷ ଟନ୍ ଖର୍ଚ୍ଚ ହେବା ପରେ ମଧ୍ୟ ପ୍ରାୟ ୧୫ ଲକ୍ଷ ଟନ୍ ଚିନି ବଳକା ରହିବ। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ କମ୍ ଉତ୍ପାଦନ ଏବଂ ପ୍ରାୟ ୮ ଲକ୍ଷ ଟନ୍ ଚିନି ରପ୍ତାନି ହେବା କାରଣରୁ ଦର ବୃଦ୍ଧି ପାଇଥିଲା।
ବଜାରରେ ପର୍ଯ୍ୟାପ୍ତ ପରିମାଣର ଭଣ୍ଡାର ନଥିବା ନେଇ କଳ୍ପନାଜଳ୍ପନା ଯୋଗୁଁ ଏକ୍ସ-ମିଲ୍ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା। ଦେଶରେ E20 କାର୍ଯ୍ୟକ୍ରମ ଅଧୀନରେ ବାର୍ଷିକ ପ୍ରାୟ ୧୨୦୦ କୋଟି ଲିଟର ଏଥାନଲ୍ ଆବଶ୍ୟକ ହୁଏ । ଆଗାମୀ ବର୍ଷ ପାଇଁ ୨୮୫ ଲକ୍ଷ ଟନ୍ ଚିନି ଖାଉଟି ଚାହିଦାକୁ ଦୃଷ୍ଟିରେ ରଖି ପ୍ରଥମେ ଏହାର ବ୍ୟବସ୍ଥା କରାଯିବ ଏବଂ ୪୦-୪୫ ଲକ୍ଷ ଟନ୍ ର ବଫର୍ ଷ୍ଟକ୍ ମଧ୍ୟ ରଖାଯିବ। ଅକ୍ଟୋବର ମାସରେ ମିଳ୍ ଗୁଡ଼ିକୁ ଚାଲୁ କଲେ ରିକଭରି ଲସ୍ ହେବାର ଆଶ୍ୱାସନା ରହିଛି। ଏହାର ଭରଣା ପାଇଁ ISMA ସରକାରଙ୍କ ସମ୍ମୁଖରେ ଦୁଇଟି ପ୍ରମୁଖ ସର୍ତ୍ତ ରଖିଛି। ଅକ୍ଟୋବର ମାସରେ ଉତ୍ପାଦନ ପାଇଁ କେନ୍ଦ୍ରୀୟ GST ରେ ୨.୫ ପ୍ରତିଶତ କୋହଳ ବା ଛାଡ଼ ଦିଆଯାଉ। ଅକ୍ଟୋବରରେ ଅଧିକ ଉତ୍ପାଦନ ହେବାକୁଥିବା ଚିନି ଉପରେ ରିଲିଜ୍ କୋଟାରେ ଅତିରିକ୍ତ କୋଟା ପ୍ରଦାନ କରାଯାଉ।
ଏପଟେ ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଚିନି ଦର ପୂରା ମିଠା ବଜାରକୁ ବି ପ୍ରଭାବିତ କରିବାର ଆଶଙ୍କା ବଢିଛି। ଗତ ଜୁଲାଇ ଶେଷ ସପ୍ତାହରେ ଚିନି କୁଇଣ୍ଟାଲ ପିଛା ରେଟ୍ ଥିଲା ୪ ହଜାର ୨ ଶହ ଟଙ୍କା। ଏବେ କିନ୍ତୁ କୁଇଣ୍ଟାଲ ପିଛା ହୋଲସେଲ ଦର ୬ ହଜାର ୩ ଶହ ଟଙ୍କାରେ ପହଞ୍ଚିଛି। ସେପଟେ ଓଡ଼ିଶାରେ ଚିନିର ଚାହିଦା ଅମଳ ନାହିଁ। ଚାହିଦାର ମାତ୍ର ୨ ପ୍ରତିଶତରୁ କମ୍ ଅମଳ ହେଉଥିବାରୁ ଓଡିଶାକୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ବଜାର ଉପରେ ନିର୍ଭର କରିବାକୁ ପଡୁଛି। ଏପଟେ ଆଉ ଏକ ଚର୍ଚ୍ଚା ଯେ, ପେଟ୍ରୋଲରେ ଇଥାନଲ୍ ମିଶାଯିବା ପରେ ଇଥାନଲ୍ ର ମୁଖ୍ୟ ଉପାଦାନ ଆଖୁର ଚାହିଦା ବଢ଼ିଯିବା ଯୋଗୁଁ ଏହା ଚିନିର ଉତ୍ପାଦନ ତଥା ଦରକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ କହିଛନ୍ତି।

