Latest Odisha News

BREAKING NEWS

Vande Mataram row: ‘ଖଣ୍ଡ ଖଣ୍ଡ କରିଦେବେ’…ବନ୍ଦେ ମାତରମ୍‌ ବିବାଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’କୁ ନେଇ ଦେଶରେ ପୁଣି ରାଜନୈତିକ ବିବାଦ ତୀବ୍ର ହୋଇଛି। ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ସଂସ୍କରଣ ଗାଇବାକୁ ବିରୋଧ କରୁଥିବା ଲୋକଙ୍କୁ କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଅଧ୍ୟକ୍ଷ ଜିତନ ରାମ ମାଝୀ କଡ଼ା ଚେତାବନୀ ଦେଇଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ, ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ଗୀତକୁ ନେଇ ବିରୋଧ ଜାରି ରହିଲେ ଜନତା ଏହାର ଉଚିତ ଜବାବ ଦେବେ। ତେବେ ସେ ନିଜ ପୋଷ୍ଟରେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ନାମ ନେଇନାହାନ୍ତି।

ମନ୍ତ୍ରୀ ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ସଂସ୍କରଣକୁ ବିରୋଧ କରୁଥିବା ଗୋଷ୍ଠୀକୁ ‘ଟୁକଡ଼େ-ଟୁକଡ଼େ ଗ୍ୟାଙ୍ଗ୍‌’ ବୋଲି ଉଲ୍ଲେଖ କରି କହିଛନ୍ତି ଯେ, ସେମାନେ ଜାତୀୟ ସଙ୍ଗୀତକୁ ମଧ୍ୟ ଖଣ୍ଡ ଖଣ୍ଡ କରିବା କଥା କହୁଛନ୍ତି। ସେମାନେ ନିଜ ଆଭିମୁଖ୍ୟ ବଦଳାଇ ନଦେଲେ ଜନତା ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ବୟାନ ପରେ ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ସଂସ୍କରଣକୁ ନେଇ ଚାଲିଥିବା ରାଜନୈତିକ ତର୍କ ଆହୁରି ତୀବ୍ର ହୋଇଛି।

ଏହି ବିବାଦର ମୂଳରେ ରହିଛି କଂଗ୍ରେସର ନିଷ୍ପତ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକରେ ୮୮ ଜଣ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏଥିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ବୈଠକରେ ନିଷ୍ପତ୍ତି ହୋଇଛି ଯେ, କଂଗ୍ରେସର କାର୍ଯ୍ୟକ୍ରମରେ ପୂର୍ବଭଳି ବନ୍ଦେ ମାତରମ୍‌ର ପ୍ରଥମ ଦୁଇଟି ପଦ ହିଁ ଗାନ କରାଯିବ। ସମ୍ପୂର୍ଣ୍ଣ ସଂସ୍କରଣ କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରେ ଗାନ କରାଯିବ ନାହିଁ। ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳଗୁଡ଼ିକ କଂଗ୍ରେସକୁ ସମାଲୋଚନା କରୁଛନ୍ତି।

ଭାରତ ସ୍ୱାଧୀନ ହେବାର ପ୍ରାୟ ୮ ଦଶନ୍ଧି ପରେ ବନ୍ଦେ ମାତରମ୍‌କୁ ନେଇ ସଂସଦରେ ନୂଆ ଆଇନଗତ ବ୍ୟବସ୍ଥା ଆସିଛି। ଚଳିତ ବର୍ଷ ଜୁଲାଇ ୩୦ରେ ସଂସଦରେ ବନ୍ଦେ ମାତରମ୍‌ ସମ୍ପର୍କିତ ଆଇନ ପାରିତ ହୋଇଥିଲା। ଏହାପରେ ଅଗଷ୍ଟ ୧୩ରେ ପ୍ରଥମ ଥର ପାଇଁ ସଂସଦରେ ବନ୍ଦେ ମାତରମ୍‌ ଗାନ କରାଯାଇଥିଲା। ପରେ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ମଧ୍ୟ ପ୍ରଥମ ଥର ପାଇଁ ଏହା ଗାନ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ଦିବସରେ କଂଗ୍ରେସ ମୁଖ୍ୟାଳୟରେ ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ସଂସ୍କରଣ ଗାନ ନକରାଯିବା ପରେ ବିବାଦ ଆହୁରି ବଢ଼ିଥିଲା।

ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ବନ୍ଦେ ମାତରମ୍‌’ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଗଭୀର ଭାବେ ଜଡ଼ିତ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ଏକ ଶକ୍ତିଶାଳୀ ଜାତୀୟ ପ୍ରତୀକ ଭାବେ ଉଭା ହୋଇଥିଲା। ଏବେ ବିବାଦର ମୁଖ୍ୟ ପ୍ରଶ୍ନ ହେଉଛି, ସରକାରୀ ଓ ରାଜନୈତିକ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ର ସମ୍ପୂର୍ଣ୍ଣ ସଂସ୍କରଣ ଗାନ କରାଯିବ କି ନାହିଁ। ସମ୍ପୂର୍ଣ୍ଣ ଗୀତ ଗାନ କରିବାକୁ ସମର୍ଥନ କରୁଥିବା ନେତାମାନେ ଏହାକୁ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନର ପ୍ରଶ୍ନ ବୋଲି କହୁଥିବାବେଳେ, କଂଗ୍ରେସ ନିଜ ପୁରୁଣା ପରମ୍ପରା ଅନୁଯାୟୀ କେବଳ ପ୍ରଥମ ଦୁଇଟି ପଦ ଗାନ କରିବା ନିଷ୍ପତ୍ତିରେ ଅଟଳ ରହିଛି।

Leave A Reply

Your email address will not be published.