Latest Odisha News

BREAKING NEWS

ପିଏମ୍ ସୂର୍ଯ୍ୟ ଘର ଯୋଜନା: ରୁଫ୍‌ଟପ୍ ସୋଲାର୍ ଲଗାଇବାରେ ଦେଶରେ ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା

ଭୁବନେଶ୍ୱର: ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ଅଧୀନରେ ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବାରେ ଓଡ଼ିଶା ଆଖିଦୃଶିଆ ସଫଳତା ହାସଲ କରିଛି। କେନ୍ଦ୍ର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁଯାୟୀ, ରୁଫ୍‌ଟପ୍ ସୋଲାର୍ ସ୍ଥାପନରେ ଓଡ଼ିଶା ସାରା ଦେଶରେ ୧୩ଶ ସ୍ଥାନରୁ ସିଧାସଳଖ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ଆସାମ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଯୋଜନା ପାଇଁ ୩ ଲକ୍ଷ ୧୨ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ପ୍ରାୟ ୧.୭୪ ଲକ୍ଷ ଘର ଛାତ ଉପରେ ସୌର ପ୍ୟାନେଲ୍ ସଫଳତାର ସହ ଲଗାଯାଇସାରିଲାଣି। ରାଜ୍ୟର ସମୁଦାୟ ରୁଫ୍‌ଟପ୍ ସୌର ଶକ୍ତି କ୍ଷମତା ୪୧୦ ମେଗାୱାଟ୍ ଛୁଇଁଛି। ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସୋଲାର୍ ବଜାର ଭାବେ ଓଡ଼ିଶା ଉଭା ହେବାରେ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ପ୍ରମୁଖ କାରଣ ପାଲଟିଛି। ଯୋଗ୍ୟ ଗ୍ରାହକମାନେ ୩ କିଲୋୱାଟ୍ ସୋଲାର୍ ସିଷ୍ଟମ୍ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିତ ଭାବେ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇପାରୁଛନ୍ତି। ଆସନ୍ତା ୨୦୨୭ ସୁଦ୍ଧା ରାଜ୍ୟର ୩ ଲକ୍ଷ ଘରେ ରୁଫ୍‌ଟପ୍ ସୋଲାର ଲଗାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ରାଜ୍ୟର ଚାରୋଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଟିପିସିଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍, ଟିପିଏନଓଡିଏଲ୍ ଏବଂ ଟିପିଏସଓଡିଏଲ୍) ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଟିପିସିଓଡିଏଲ୍ ସର୍ବାଧିକ ୫୬,୮୪୨ ଟି ସିଷ୍ଟମ୍ ସ୍ଥାପନ କରିଥିବା ବେଳେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଜିଲ୍ଲା ସ୍ତରରେ ଦେଖିଲେ, ବାଲେଶ୍ୱର ଜିଲ୍ଲା ସର୍ବାଧିକ ୧୬,୦୬୯ଟି ସୋଲାର୍ ପ୍ୟାନେଲ୍ ସହିତ ଆଗରେ ଥିବାବେଳେ ଗଞ୍ଜାମ (୧୫,୩୦୧), ଖୋର୍ଦ୍ଧା (୧୪,୨୩୬) ଏବଂ କଟକ ଜିଲ୍ଲା (୧୩,୩୪୩) ୧୦ ହଜାରରୁ ଊର୍ଦ୍ଧ୍ୱ ସିଷ୍ଟମ୍ କାର୍ଯ୍ୟକାରୀ କରିଛନ୍ତି ।

ଆବେଦନ ଠାରୁ ଆରମ୍ଭ କରି ମିଟରିଂ ଯାଏଁ ସବୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ସୌର ଶକ୍ତି ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ‘ମୋ ଛାତ, ମୋ ସଞ୍ଚୟ’, ‘ସୂର୍ଯ୍ୟ ଘର ଗ୍ରାମସଭା’ ଏବଂ ‘ସୋଲାର୍ ରଥ’ ପରି ଅଭିଯାନ ଆରମ୍ଭ ହୋଇଛି। ଏହାଛଡ଼ା ମହିଳା ସଶକ୍ତୀକରଣ ପାଇଁ ‘ସୋଲାର୍ ଦିଦି’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସୋଲାର୍ ପ୍ୟାନେଲ୍ ଲଗାଇବା ଓ ରକ୍ଷଣାବେକ୍ଷଣ ତାଲିମ ଦିଆଯାଉଛି। ଟାଟା ପାୱାର୍‌ର ଓଡ଼ିଶା ବିତରଣ ବ୍ୟବସାୟର ମୁଖ୍ୟ ଗଜାନନ କାଲେ କହିଛନ୍ତି ଯେ, ଉଭୟ ସରକାରୀ ସବସିଡି ଏବଂ ଲୋକଙ୍କ ସଚେତନତା ଯୋଗୁଁ ଓଡ଼ିଶା ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିପାରିଛି।

Leave A Reply

Your email address will not be published.