Latest Odisha News

BREAKING NEWS

ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ

ଭୁବନେଶ୍ୱର:ଶୁକ୍ରବାର ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟାବଳୀ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀଗୁଡ଼ିକୁ ଖୁବଶୀଘ୍ର ପୂରଣ କରାଯିବା ଉପରେ ମନ୍ତ୍ରୀ ସୂରଜ ଗୁରୁତ୍ୱାରୋପ କରିଛନ୍ତି । ନିଯୁକ୍ତି ପ୍ରକ୍ରିୟା ପାଇଁ ବିଷୟ ଭିତ୍ତିକ ଚୟନ କମିଟି ଗଠନ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀ ସମସ୍ତ କୁଳପତିମାନଙ୍କ ସହ ଆଲୋଚନା କରିଛନ୍ତି।

ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଏବଂ ବିଶ୍ୱ ବିଦ୍ୟାଳୟମାନଙ୍କରେ ଏହାର କାର୍ଯ୍ୟକାରିତାକୁ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବା ଏବଂ ଆପରେଣ୍ଟିସିପ୍ ଏମବେଡେଡ ଡିଗ୍ରୀ ପ୍ରୋଗ୍ରାମ (AEDP) ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଆପରେଣ୍ଟିସିପ୍ ପ୍ରଦାନ କରିବା, ଆଗାମୀ ଦିନରେ ଅଧିକରୁ ଅଧିକ ପାଠ୍ୟକ୍ରମରେ AEDPକୁ ଲାଗୁ କରିବା, ବିଶ୍ୱ ବିଦ୍ୟାଳୟମାନଙ୍କରେ ଉଚ୍ଚକୋଟୀର ଗବେଷଣାକୁ ପ୍ରୋତ୍ସାହନ ଦେବା, ସେଣ୍ଟର ଅଫ୍ ଏକ୍ସିଲେନ୍ସର ସ୍ଥାପନ ଓ କାର୍ଯ୍ୟକାରିତା ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା।

ସମସ୍ତ ବିଶ୍ୱ ବିଦ୍ୟାଳୟମାନଙ୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ଗୁରୁତ୍ୱାରୋପ କରିଥିଲେ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ଏବଂ ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ ପାଠ୍ୟକ୍ରମର ଅନ୍ତର୍ଭୁକ୍ତିକରଣ, ଭାରତୀୟ ଶିକ୍ଷା ପ୍ରଣାଳୀ (IKS) ସହ ଆଧୁନିକ ପାଠ୍ୟକ୍ରମର ସଂଯୋଗୀକରଣ ଆଦିକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହ ବିଶ୍ୱ ବିଦ୍ୟାଳୟରେ ପିଏଚଡ଼ି ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଯେପରି ନୂତନ ଓ ସମୟସାମୟିକ ବିଷୟବସ୍ତୁକୁ ନେଇ ଉଚ୍ଚକୋଟୀର ଗବେଷଣା କରିବେ, ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସୂରଜ ପରାମର୍ଶ ଦେଇଥିଲେ।

ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ପିଏମ୍-ଉଷା ଯୋଜନାର କାର୍ଯ୍ୟକାରିତାର ଅଗ୍ରଗତିକୁ ନେଇ ସମୀକ୍ଷା କରାଯାଇଥିଲା। ଏଥିସହ ଛାତ୍ରୀମାନଙ୍କର ସଶକ୍ତିକରଣ ପାଇଁ ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ ହେବା, ଆଭ୍ୟଣ୍ଡରଣ କମିଟିର (IC) ପରିଚାଳନା, ବିଶ୍ୱ ବିଦ୍ୟାଳୟରେ ସିନେଟ୍ ଗଠନ ହେବା ଏବଂ ସିନେଟ୍‌ର ବୈଠକ ଅନୁଷ୍ଠିତ ହେବା ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ବିଶ୍ୱ ବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ପ୍ରାଧାନ୍ୟ ଦେବା ଏବଂ ଏକ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ହିଁ ସରକାରଙ୍କ ପ୍ରାଥମିକତା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।

Leave A Reply

Your email address will not be published.