ବଲାଙ୍ଗୀର: ଆଜି ବି ଅନ୍ଧବିଶ୍ଵାସରେ ଆଧୁନିକ ମଣିଷ । ସ୍ତ୍ରୀ ଘରକୁ ଫେରିବ ବୋଲି ସାଙ୍ଗକୁ ବଳି ଦେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ବଲାଙ୍ଗୀର ଥାନା ବଗଡା ଗାଁରେ ଦେଖିବାକୁ ଏହି ଅଭାବନୀୟ ଘଟଣା । ମୃତକ ହେଲେ ସନ୍ତୋଷ ଖର୍ସେଲ । ତେବେ ଘଟଣା ପଛରେ ଗୁଣିଗାରେଡ଼ି ଥିବା ବୋଲି ସ୍ପଷ୍ଟ କରିଛନ୍ତି ବଲାଙ୍ଗୀର ଏସପି । ଏସପି କହିଛନ୍ତି ଏହା ଥିଲା ଏକ ନରବଳି।
ଅଭିଯୁକ୍ତ ଶତ୍ରୁଘ୍ନ ସାହୁଙ୍କ ଘରୁ ସନ୍ତୋଷଙ୍କ ମୁଣ୍ଡ ମିଳିଥିବା ବେଳେ ସେ ତା’ର ସ୍ତ୍ରୀ ଓ ଛୁଆକୁ ଫେରିପାଇବା ପାଇଁ ନରବଳି ଦେଇ ପୂଜା ଅର୍ଚ୍ଚନା କରୁଥିଲା ବୋଲି ସ୍ପଷ୍ଟ କରିଛନ୍ତି ବଲାଙ୍ଗୀର ଏସପି ଅଭିଳାଷ ଜି।
ସୂଚନାଥାଉକି, ଗୁରୁବାର ବଗଡ଼ା ଗାଁ ପୋଖରୀରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହର ମୁଣ୍ଡ ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍ ପ୍ରଥମରୁ ସନ୍ଦେହ କରିଥିଲା। ଅନ୍ୟପଟେ ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ୫ ଦିନ ନିଖୋଜ ଥିବାରୁ ପୋଲିସ୍ ତାଙ୍କ ଘରକୁ ଖବର ପଠାଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ସନ୍ତୋଷଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସର ତଦନ୍ତକୁ ଜୋରଦାର କରିଥିଲା। ସେପଟେ ଗୁଣିଗାରେଡ଼ି ପାଇଁ ହତ୍ୟା କରାଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ପୋଲିସ ପଚରାଉଚରା ବେଳେ ସନ୍ତୋଷ କିଛିଦିନ ହେଲା ଶତ୍ରୁଘ୍ନ ସହ ବୁଲାବୁଲି କରୁଥିବା ଜାଣିବାକୁ ପାଇଥିଲା। ଆଉ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।


Comments are closed.