ଘରେ ଲାଗିଥିବା ପୁରୁଣା ବା ଅଦରକାରୀ ଡିସକୁ କାଢ଼ି ଫୋପାଡି ଦେଉଛନ୍ତି କି? ତେବେ ଟିକେ ଅଟକି ଯାଆନ୍ତୁ। ଆପଣ ଚାହିଁଲେ ଏହି ଡିସ୍କୁ ଟିଭି ଆଣ୍ଟିନା ଭାବରେ ବ୍ୟବହାର କରି ମାଗଣାରେ କିଛି ଚ୍ୟାନେଲ୍ ଦେଖିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରକୃତ ଟେକ୍ନୋଲୋଜି ଏବଂ ଏହାକୁ ସେଟ୍ କରିବାର ପଦ୍ଧତି ବିଷୟରେ ।
ସାଧାରଣତଃ ସାଟେଲାଇଟ୍ ଡିସ୍ ମହାକାଶରେ ଥିବା ସାଟେଲାଇଟ୍ରୁ ଆସୁଥିବା ସିଗ୍ନାଲ୍ ଗ୍ରହଣ କରିଥାଏ । ଡିସ୍ରେ ଲାଗିଥିବା LNB (ଲୋ ନଏଜ୍ ବ୍ଲକ୍) ଏହି ସିଗ୍ନାଲ୍କୁ ରିସିଭ୍ କରି କେବୁଲ୍ ମାଧ୍ୟମରେ ସେଟ୍-ଟପ୍ ବକ୍ସକୁ ପଠାଇଥାଏ। ଅନ୍ୟପକ୍ଷରେ, ଏକ ସାଧାରଣ ଟିଭି ଆଣ୍ଟିନା ଭୂପୃଷ୍ଠରୁ ପ୍ରସାରିତ ଟେରେଷ୍ଟ୍ରିଆଲ୍ ବା ଡିଜିଟାଲ୍ ସିଗ୍ନାଲ୍ ଧରିଥାଏ। ତେଣୁ କେବଳ ଡିସ୍କୁ ସିଧାସଳଖ ଟିଭିରେ ଲଗାଇଦେଲେ ଯେ ଆପଣଙ୍କୁ ସବୁ ଚ୍ୟାନେଲ୍ ମିଳିଯିବ, ତାହା ସମ୍ଭବ ନୁହେଁ ।
ତେବେ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ପୁରୁଣା ଡିସ୍କୁ ବ୍ୟବହାର କରାଯାଇପାରିବ। ଯଦି ଆପଣଙ୍କ ଅଞ୍ଚଳରେ ଓଭର-ଦି-ଏୟାର୍ ଡିଜିଟାଲ୍ ଟିଭି ପ୍ରସାରଣ ସୁବିଧା ଉପଲବ୍ଧ ଅଛି, ତେବେ ଉକ୍ତ ପୁରୁଣା ଡିସ୍କୁ ଏକ ‘ମାଉଣ୍ଟିଂ ଷ୍ଟ୍ରକ୍ଚର୍’ ବା ଷ୍ଟାଣ୍ଡ ଭାବରେ ବ୍ୟବହାର କରି ସେଥିରେ UHF/VHF ଆଣ୍ଟିନା ଲଗାଇପାରିବେ। ଆଜିକାଲି କେତେକ ଆଧୁନିକ ଟିଭିରେ ଇନ୍-ବିଲ୍ଟ ଡିଜିଟାଲ୍ ଟ୍ୟୁନର୍ (DVB-T/T2) ଥାଏ । ଏଭଳି କ୍ଷେତ୍ରରେ, ଆଣ୍ଟିନାକୁ ଟିଭିର RF ପୋର୍ଟ ସହ ସଂଯୋଗ କରି ଫ୍ରି-ଟୁ-ଏୟାର ଚ୍ୟାନେଲ୍ ଗୁଡ଼ିକୁ ସହଜରେ ସ୍କାନ୍ କରାଯାଇପାରିବ ।
ଯଦି ଆପଣ ସାଟେଲାଇଟ୍ରୁ ସିଧାସଳଖ ମାଗଣା ଚ୍ୟାନେଲ୍ ଦେଖିବାକୁ ଚାହୁଁଛନ୍ତି, ତେବେ ପୁରୁଣା ଡିସ୍କୁ ପୁନଃ ବ୍ୟବହାର କରିବା ଅପେକ୍ଷାକୃତ ସହଜ। ଏଥିପାଇଁ ଡିସ୍ର ଆକାର, ସଠିକ୍ ଦିଗ, LNB ଏବଂ ରିସିଭର୍ ଠିକ୍ ଥିବା ଆବଶ୍ୟକ। ତେବେ ମନେ ରଖନ୍ତୁ, ସବୁ ସାଟେଲାଇଟ୍ ଚ୍ୟାନେଲ୍ ମାଗଣା ନୁହେଁ । କିଛି ଫ୍ରି-ଟୁ-ଏୟାର ଚ୍ୟାନେଲ୍ ପାଇଁ ମାସିକ ରିଚାର୍ଜ ଆବଶ୍ୟକ ହୁଏ ନାହିଁ ସତ, କିନ୍ତୁ ପ୍ରସାରଣ ଜ୍ଞାନକୌଶଳ, ଚ୍ୟାନେଲ୍ ଉପଲବ୍ଧତା ଏବଂ ସିଗ୍ନାଲ୍ର ସ୍ଥିତି ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରେ ।
ତେଣୁ, ନିଜର ପୁରୁଣା ଡିସ୍କୁ ଅଦରକାରୀ ଭାବି ନଷ୍ଟ କରିବା ପୂର୍ବରୁ ତାହାର କଣ୍ଡିସନ୍ ଓ ଉପଯୋଗିତା ବିଷୟରେ ଥରେ ପରଖି ନେବା ବୁଦ୍ଧିମାନର କାମ ହେବ ।

