Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା ସଂସ୍କୃତି
ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ ଶନିବାର ଠାରୁ ଆରମ୍ଭ ହୋଇଛି ତିନିଦିନିଆ ‘ଓଡ଼ିଶା ପରବ’। ଦୀନଦୟାଲ ହସ୍ତକଳା ସଙ୍କୁଲ (ଟ୍ରେଡ୍ ଫାସିଲିଟେସନ୍ ସେଣ୍ଟର ଏବଂ କ୍ରାଫ୍ଟସ ମ୍ୟୁଜିୟମ) ପରିସରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ହସ୍ତଶିଳ୍ପ, ହସ୍ତତନ୍ତ ଓ ପାରମ୍ପରିକ ଖାଦ୍ୟର ବ୍ୟାପକ ପ୍ରଦର୍ଶନ କରାଯାଉଛି। ବାରଣାସୀରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ଉପସ୍ଥାପନ କରିବା ସହ ଉତ୍ତର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି (FICCI)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଥିଲେ। ଆୟୋଜନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ମିଶନ ଶକ୍ତି, ଓଆରଏମଏଏସ୍ (ORMAS) ଏବଂ ଓଟିଡିସି (OTDC) ପ୍ରମୁଖ ସହଯୋଗ କରୁଛନ୍ତି।
ଉଦ୍ଘାଟନ ପରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ, ଶ୍ରମ ମନ୍ତ୍ରୀ ଅନିଲ ରାଜଭର, ବିଧାୟକ ଅବଧେଶ ସିଂହଙ୍କ ସମେତ ଦୁଇ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ମହୋତ୍ସବ ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ବଢ଼ାଇବା ସହ ପର୍ଯ୍ୟଟନର ବିକାଶ ପାଇଁ ଏକ ପ୍ରମୁଖ ମାଧ୍ୟମ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
‘ଓଡ଼ିଶା ପରବ’ରେ ମୋଟ ୩୨ଟି ବିଶେଷ ଷ୍ଟଲ୍ ସ୍ଥାନ ପାଇଛି। ସେଥିରୁ ୨୨ଟି ଷ୍ଟଲ୍ରେ ଓଡ଼ିଶାର ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେଉଥିବା ବେଳେ ୧୦ଟି ଷ୍ଟଲ୍ରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଲବ୍ଧ ହେଉଛି। ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ରୂପା ତାରକସି, ଢୋକ୍ରା ଶିଳ୍ପ, କୋଟପାଡ଼ ବସ୍ତ୍ର ଓ ସମ୍ବଲପୁରୀ ହସ୍ତତନ୍ତ ଆଦି ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ ଏଠାରେ ପ୍ରଦର୍ଶିତ ହେଉଛି।
କେବଳ ସାମଗ୍ରୀ ପ୍ରଦର୍ଶନ ନୁହେଁ, ଶିଳ୍ପୀମାନେ ନିଜ ହାତରେ ହସ୍ତଶିଳ୍ପ ତିଆରି କରିବାର ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ ମଧ୍ୟ ଦେଉଛନ୍ତି। ଏହା ଦର୍ଶକଙ୍କୁ ଓଡ଼ିଶାର ପାରମ୍ପରିକ କାରିଗରୀର ପ୍ରକ୍ରିୟାକୁ ନିକଟରୁ ଦେଖିବାର ସୁଯୋଗ ଦେଉଛି। ହସ୍ତଶିଳ୍ପ ସହ ଓଡ଼ିଆ ଖାଦ୍ୟ ମଧ୍ୟ ମହୋତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି। ଦହିବରା-ଆଳୁଦମ୍, ବିଭିନ୍ନ ପ୍ରକାର ପିଠା, ମିଠା, ମାଣ୍ଡିଆ ଜାତୀୟ ଖାଦ୍ୟ ସହ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ନେବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ଏଥିସହ କୋରାପୁଟ କଫି ମଧ୍ୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।
ମହୋତ୍ସବରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଓଡ଼ିଶାର ଲୋକକଳା ଓ ପରମ୍ପରାକୁ ବାରଣାସୀର ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଛି।
‘ଓଡ଼ିଶା ପରବ’ ମାଧ୍ୟମରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକର ମଧ୍ୟ ପ୍ରଚାର କରାଯାଉଛି। ପୁରୀ, କୋଣାର୍କ, ବୌଦ୍ଧ ପରିପଥର ରତ୍ନଗିରି, ଉଦୟଗିରି ଓ ଲଲିତଗିରି ଭଳି ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ସହ ଚିଲିକା, ଭିତରକନିକା ଓ ଶିମିଳିପାଳ ଭଳି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଦର୍ଶକଙ୍କୁ ସୂଚନା ଦିଆଯାଉଛି।
ଆସନ୍ତା ୨୪ ଅଗଷ୍ଟ ପର୍ଯ୍ୟନ୍ତ ଏହି ତିନିଦିନିଆ ‘ଓଡ଼ିଶା ପରବ’ ଚାଲିବ। ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟ ଓ ହସ୍ତଶିଳ୍ପକୁ ଏକାଠି ଅନୁଭବ କରିବା ପାଇଁ ସାଧାରଣ ନାଗରିକ ଓ ଦର୍ଶକଙ୍କ ନିମନ୍ତେ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ବାରଣାସୀରେ ଓଡ଼ିଶାର ସାଂସ୍କୃତିକ ଛାପକୁ ପ୍ରଦର୍ଶିତ କରୁଥିବା ଏହି ଆୟୋଜନ ରାଜ୍ୟର ପର୍ଯ୍ୟଟନ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

