Latest Odisha News

BREAKING NEWS

ଓଡ଼ିଶା ଉପକୂଳରେ MV ଓସେନ୍ ୱିନର ବୁଡ଼ିବା ଘଟଣାରେ ୨୨ ନିଖୋଜ, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଉପକୂଳରେ ପାନାମା-ପତାକାଯୁକ୍ତ ଜାହାଜ MV ଓସେନ୍ ୱିନର ବୁଡ଼ିଯିବା ଘଟଣାକୁ ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ରବିବାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଭାରତୀୟ ତଟରକ୍ଷୀ ବାହିନୀ (ICG) ଏବଂ ଭାରତୀୟ ନୌସେନା ବଙ୍ଗୋପସାଗରରେ ଅନ୍ୟ ୨୨ ଜଣ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

“ଓଡ଼ିଶା ଉପକୂଳରେ MV ଓସେନ୍ ୱିନର ସହିତ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପାଇଁ ଗଭୀର ଚିନ୍ତିତ। ପାନାମା-ପତାକାଯୁକ୍ତ ଜାହାଜଟି ପାରାଦୀପ ବନ୍ଦରରୁ ଚୀନକୁ ଲୁହାପଥର ବୋହି ନେଉଥିଲା। ସମସ୍ତ ଏଜେନ୍ସି ସହିତ ସମନ୍ୱୟରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ୨ ଜଣ ବଞ୍ଚିଥିବା ଲୋକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ତେବେ ସେମାନଙ୍କ ପଦ ଏବଂ ପରିଚୟ ନେଇ ଯାଞ୍ଚ କରାଯାଉଛି। ସେହିପରି ବାକି କ୍ରୁ ସଦସ୍ୟଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛୁ ବୋଲି କେନ୍ଦ୍ର ମନ୍ତ୍ରୀ ‘X’ ରେ ଏକ ପୋଷ୍ଟ କରିଛନ୍ତି।

ଭାରତୀୟ ତଟରକ୍ଷୀ ବାହିନୀ (ICG) ଅନୁଯାୟୀ, ବାକି କ୍ରୁ ସଦସ୍ୟଙ୍କ ସନ୍ଧାନ ପାଇଁ ତିନୋଟି ଜାହାଜ ନିୟୋଜିତ କରାଯାଇଛି। ICGS Varad ଏବଂ ICGS Anmol କୁ ସିଧାସଳଖ ଘଟଣାସ୍ଥଳକୁ ପଠାଯାଇଥିଲା। ସେହିପରି ICGS Vijit କୁ ଶ୍ରୀ ବିଜୟା ପୁରମରୁ ନୌସେନା ବିମାନ ଏବଂ ନିକଟବର୍ତ୍ତୀ ବାଣିଜ୍ୟିକ ଜାହାଜ ସହିତ ଏହି ଅପରେସନକୁ ସମର୍ଥନ କରିବା ପାଇଁ ପଠାଯାଇଥିଲା।

ମାଲବାହୀ ଜାହାଜଟି ପାରାଦୀପ ବନ୍ଦରରୁ ୭୦,୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ଲୁହା ପଥର ଫାଇନ୍ ନେଇ ସିଙ୍ଗାପୁର ଦେଇ ଚୀନ ଅଭିମୁଖେ ଯାତ୍ରା କରିଥିଲା। ଜାହାଜରେ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଚୀନ୍ ନାଗରିକ, ତିନି ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିଲେ। ପରେ ଶ୍ରୀ ବିଜୟା ପୁରମରେ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର (MRCC) ଅନ୍ତର୍ଜାତୀୟ ସୁରକ୍ଷା ପ୍ରୋଟୋକଲ୍ ଆରମ୍ଭ କରିଥିଲା। ଅଗଷ୍ଟ ୨୨ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

 

Leave A Reply

Your email address will not be published.