Latest Odisha News

BREAKING NEWS

‘ଆମେରିକାକୁ ସାଥ୍ ଦେଲେ ବୁନ୍ଦାଏ ତୈଳ ବି ବାହାରିବନି’, ପଡ଼ୋଶୀ ଦେଶଙ୍କୁ ଇରାନର ଖୋଲା ଧମକ

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ନୂଆ ଏବଂ ବିସ୍ଫୋରକ ମୋଡ଼ ନେଇଛି । ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ପକ୍ଷରୁ ଇରାନ ଉପରେ ଏଯାବତ୍‌ର ସବୁଠାରୁ କଡ଼ା ଅର୍ଥନୈତିକ କଟକଣା ଲାଗୁ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଟ୍ରମ୍ପ ପ୍ରଶାସନ ଏହି ରଣନୀତିକୁ ‘ଇକୋନୋମିକ୍ ଡି-ଡେ’ ବୋଲି ଆଖ୍ୟା ଦେଇ ଇରାନର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଆମେରିକାର ଏହି ଖୋଲା ଧମକ ପରେ ତେହେରାନ ମଧ୍ୟ ଚୁପ୍ ବସିନାହିଁ ଏବଂ ପାଲଟା ଏକ ଭୟଙ୍କର ଚେତାବନୀ ଶୁଣାଇଛି ।

ଇରାନର ସୁପ୍ରିମ୍ ନ୍ୟାସନାଲ୍ ସିକ୍ୟୁରିଟି କାଉନ୍‌ସିଲ୍‌ର ସଚିବ ତଥା ବରିଷ୍ଠ ନେତାମୋହସେନ ରେଜାଇଏକ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଆମେରିକା ନିଜର ଏହି ‘ଅର୍ଥନୈତିକ ଯୁଦ୍ଧ’ ଜାରି ରଖେ, ତେବେ ପାରସ୍ୟ ଉପସାଗର ଏବଂ ହୋରମୁଜ୍ ପ୍ରଣାଳୀ ଦେଇ ବିଶ୍ୱକୁ ଗୋଟିଏ ବୁନ୍ଦା ତୈଳ ମଧ୍ୟ ରପ୍ତାନି ହେବାକୁ ଦିଆଯିବ ନାହିଁ । କେବଳ ସେତିକି ନୁହେଁ, ସେ ଆଖପାଖର ପଡ଼ୋଶୀ ଆରବ ଦେଶଗୁଡ଼ିକୁ ମଧ୍ୟ କଡ଼ା ଭାଷାରେ ସତର୍କ କରାଇ ଦେଇଛନ୍ତି । ରେଜାଇ ଖୋଲାଖୋଲି କହିଛନ୍ତି ଯେ, ଯଦି କୌଣସି ଗଲ୍ଫ ଦେଶ ଆମେରିକାର ଏହି ଅର୍ଥନୈତିକ କଟକଣା ଅଭିଯାନରେ ସାମିଲ ହୁଅନ୍ତି ବା ୱାଶିଂଟନ୍‌କୁ ପରୋକ୍ଷରେ ସମର୍ଥନ କରନ୍ତି, ତେବେ ଇରାନ ତାହାକୁ ଏକ ‘ଯୁଦ୍ଧ ଆଚରଣ’ ବା ଆକ୍ଟ ଅଫ୍ ୱାର୍ ବୋଲି ଗ୍ରହଣ କରିବ ଏବଂ ସେମାନଙ୍କୁ ନିଜର ଶତ୍ରୁ ବୋଲି ବିବେଚନା କରିବ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆମେରିକା ନିଜ ମିତ୍ର ରାଷ୍ଟ୍ରମାନଙ୍କ ସହ ମିଶି ଇରାନର ତୈଳ ବ୍ୟବସାୟକୁ ପଙ୍ଗୁ କରିବାକୁ ପ୍ରୟାସ କରୁଛି । ହୋରମୁଜ୍ ପ୍ରଣାଳୀ ହେଉଛି ବିଶ୍ୱ ତୈଳ ବାଣିଜ୍ୟର ଏକ ପ୍ରମୁଖ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯେଉଁଠାରୁ ପୃଥିବୀର ପ୍ରାୟ ଏକ-ପଞ୍ଚମାଂଶ ଅଶୋଧିତ ତୈଳ ଯୋଗାଣ ହୋଇଥାଏ । ଇରାନର ଏହି କଡ଼ା ବୟାନ ପରେ ଏବେ ଅନ୍ୟ ଗଲ୍ଫ ଦେଶଗୁଡ଼ିକ ଉପରେ ସୁରକ୍ଷା ଚାପ ବହୁଗୁଣା ବଢ଼ିଯାଇଛି । ରେଜାଇ ଚେତାବନୀ ଦେଇଛନ୍ତି ଯେ, ଆମେରିକାକୁ ସହଯୋଗ କରୁଥିବା ଦେଶମାନଙ୍କର ତୈଳ ନେଟୱର୍କ ଏବଂ ଅନ୍ୟ ବିକଳ୍ପ ବାଣିଜ୍ୟିକ ଜଳପଥଗୁଡ଼ିକୁ ମଧ୍ୟ ଇରାନ ଆକ୍ରମଣ କରି ଟାର୍ଗେଟ୍ କରିବ ।

ଇରାନର ଏହି ଧମକ ସମଗ୍ର ମଧ୍ୟପ୍ରାଚ୍ୟରେ ଏକ ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରିବା ସହ ବିଶ୍ୱ ତୈଳ ବଜାରରେ ତୀବ୍ର ହଇଚଇ ଖେଳାଇ ଦେଇଛି । ଅର୍ଥନୈତିକ ଚାପ ମାଧ୍ୟମରେ ଆମେରିକା ନିଜର ଦବ୍‌ଦବା ଜାହିର କରିବାକୁ ପ୍ରୟାସ କରୁଥିବା ବେଳେ ଇରାନର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ସମଗ୍ର ଅଞ୍ଚଳରେ ଏକ ପ୍ରତ୍ୟକ୍ଷ ସାମରିକ ସଂଘର୍ଷର ଆଶଙ୍କା ଘନୀଭୂତ ହୋଇଛି ।

Leave A Reply

Your email address will not be published.