Latest Odisha News

BREAKING NEWS

Onion Prices Rise: ଚିନି ପରେ ଏବେ ପିଆଜ ଦରରେ ନିଆଁ! ୩୦ ଦିନରେ ୧୯% ବଢ଼ିଲା ଦାମ, କିଲୋ ୬୫ ଛୁଇଁଲା!

ନୂଆଦିଲ୍ଲୀ/ଭୁବନେଶ୍ବର: ଚିନି ଦର ବୃଦ୍ଧି ପରେ ଏବେ ରୋଷେଇ ଘରକୁ ଆଉ ଏକ ଝଟକା ଦେଇଛି ପିଆଜ। ଦେଶର ବିଭିନ୍ନ ସହରରେ ପିଆଜ ଦର ଦ୍ରୁତ ଗତିରେ ବଢ଼ିଛି। ଗତ ମାସକ ମଧ୍ୟରେ ପିଆଜ ଦର ପ୍ରାୟ ୧୯ ପ୍ରତିଶତ ବଢ଼ିଥିବା ବେଳେ, ବର୍ତ୍ତମାନ ହାରାହାରି ଦର କିଲୋପ୍ରତି ପ୍ରାୟ ୪୫ ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୪୫ ପ୍ରତିଶତ ଅଧିକ।

ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀରେ ପିଆଜ ଦର କିଲୋପ୍ରତି ୬୫ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଦିଲ୍ଲୀରେ ପିଆଜ ପ୍ରାୟ ୩୫ ଟଙ୍କା କିଲୋ ଥିଲା। ସେହିପରି ଚେନ୍ନାଇରେ ଦର ୩୩ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି। କେରଳ ଓ ଆସାମର କିଛି ଅଞ୍ଚଳରେ ମଧ୍ୟ ପିଆଜ ଦର ହାରାହାରି ଦରଠାରୁ ଅଧିକ ରହିଛି।

ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଉପରମୁହାଁ ପିଆଜ ଦର । ଚଳିତ ସପ୍ତାହରେ କିଲୋ ପିଛା ଦର ୨୦ଟଙ୍କା ବଢ଼ିଛି । ସେପଟେ ୨ମାସ ମଧ୍ୟରେ କୁଇଣ୍ଟାଲ ପିଛା ପିଆଜ ଦର ୨୨ଶହ ଟଙ୍କାରୁ ବଢ଼ି ୩୫୦୦ ଟଙ୍କାରେ ପହଞ୍ଚିଛି । ପରିବହନ ଓ ଅନ୍ୟ ଖର୍ଚ୍ଚ ମିଶିଲେ ୪ହଜାର । ଖାଲି ସେତିକିନୁହେଁ, ବନ୍ୟା ପାଇଁ ନାସିକ, ବେଙ୍ଗାଲୁରୁରୁ ପିଆଜ ଆସିପାରୁନି । ଏହା ଯୋଗୁ ଦର ଆକାଶ ଛୁଆଁ ହେଲାଣି । ରାଜଧାନୀର ହାଟରେ ପିଆଜ ଦର ୪୦ରୁ ୫୦ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା ୬୦ ଟଙ୍କାରେ ବିକ୍ରି ହେଉଛି।

ଏପଟେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ନାସିକରୁ ‘କାନ୍ଦା(ପିଆଜ) ଏକ୍ସପ୍ରେସ୍’ ଟ୍ରେନ୍ ଚଳାଇ ପିଆଜକୁ ଅନ୍ୟ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଯେଉଁ ସହରରେ ପିଆଜ ଦର ଅଧିକ ରହିଛି, ସେଠାରେ ଯୋଗାଣ ବଢ଼ାଇ ଦର ନିୟନ୍ତ୍ରଣ କରିବା ଲକ୍ଷ୍ୟ ରହିଛି। କେନ୍ଦ୍ର ସରକାରଙ୍କ ମତରେ, କିଛି ବ୍ୟବସାୟୀ ଅଧିକ ଦାମରେ ପିଆଜ ବିକ୍ରି କରୁଥିବାରୁ ବଜାର ଦର ବଢ଼ୁଛି। ତେଣୁ ସରକାର କମ୍ ଦାମରେ ପିଆଜ ଉପଲବ୍ଧ କରାଇବା ପାଇଁ ମଧ୍ୟ ପଦକ୍ଷେପ ନେଉଛନ୍ତି।

ବର୍ତ୍ତମାନ ଆସନ୍ତା କିଛି ମାସର ଚାହିଦା ପୂରଣ ପାଇଁ ସରକାର ଓ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ପିଆଜ ଷ୍ଟକ୍ ଥିବା ସୂଚନା ମିଳିଛି। ତେବେ ପିଆଜର ସବୁଠାରୁ ବଡ଼ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ରରେ ଖରିଫ୍ ପିଆଜ ଉତ୍ପାଦନ ୫ରୁ ୭ ପ୍ରତିଶତ କମିପାରେ ବୋଲି ବଜାର ସହ ଜଡ଼ିତ ଲୋକେ ଆକଳନ କରୁଛନ୍ତି। ଅନ୍ୟପକ୍ଷରେ କୃଷି ମନ୍ତ୍ରଣାଳୟର ଆକଳନ ଅନୁସାରେ, ୨୦୨୫-୨୬ ଫସଲ ବର୍ଷରେ ପିଆଜ ଉତ୍ପାଦନ ପ୍ରାୟ ୩୦୭ ଲକ୍ଷ ଟନ୍ ରହିପାରେ। ଏହା ୨୦୨୪-୨୫ର ଉତ୍ପାଦନ ସହ ପ୍ରାୟ ସମାନ।

ସେହିଭଳି ରାଜ୍ୟ ଓଡ଼ିଶାରେ ବର୍ଷକୁ ୬ଲକ୍ଷ ଟନ୍‌ ପିଆଜ ଆବଶ୍ୟକ । ହେଲେ ପିଆଜ ଉତ୍ପାଦନ ଅତି ନଗଣ୍ୟ । କେବଳ ଦେଶୀ ପିଆଜକୁ ଛାଡିଦେଲେ ବଡ଼ ପିଆଜ କାଁ ଭାଁ ଚାଷ ହେଉଛି । ସେଥିପାଇଁ ଓଡ଼ିଶାର ସାହା ଭରସା ହେଉଛି ମହାରାଷ୍ଟ୍ରର ନାସିକ ପିଆଜ । ବର୍ଷକୁ ୫ଲକ୍ଷ ଟନ୍‌ ପିଆଜ ସେଠାରୁ ଆସେ । ଏହାପରେ ମଧ୍ୟପ୍ରଦେଶରୁ ଇନ୍ଦୋରରୁ ମଧ୍ୟ ପିଆଜ ଆସିଥାଏ । ସେପଟେ ରାଜ୍ୟକୁ ପ୍ରତିଦିନ ୩୦୦୦ଟନ୍‌ ପିଆଜ ଆସୁଥିବା ବେଳେ ରାଜଧାନୀକୁ ଭୁବନେଶ୍ୱରକୁ ୨୦୦ଟନ୍‌ ପିଆଜ ଆସେ । ହେଲେ ପିଆଜ ଚାଷ ବଡ଼ ପେଣ୍ଠସ୍ଥଳ ନାସିକରେ ବନ୍ୟା ବିପତ୍ତି ଛାଇ ରହିଥିବା ବେଳେ ହଜାର ହଜାର ଏକର ପିଆଜ ଚାଷ ପାଣି ଭିତରେ ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.