ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି।
ତେବେ ଏହାରି ମଧ୍ୟରେ ବନ୍ୟାକୁ ଦେଖି ବିହାରରେ ହାଇ ଆଲର୍ଟ ଜାରି କରାଯାଇଛି। ଏପରିକି ଗଣ୍ଡକ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିହାରର ଅନେକ ଜିଲ୍ଲାରେ ଏହି ଆଲର୍ଟ ଜାରି କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ବାଲ୍ମିକୀନଗରର ଗଣ୍ଡକ ବ୍ୟାରେଜର ସମସ୍ତ ୩୬ଟି ଗେଟ୍ ଖୋଲାଯାଇଛି। ଏନେଇ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।
ରାତି ୧୧ଟା ସୁଦ୍ଧା ବ୍ୟାରେଜରୁ ପ୍ରାୟ ୧.୫୦ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଇଛି। ଯାହା ଦିନକ ମଧ୍ୟରେ ରେକର୍ଡ ହୋଇଥିବା ସର୍ବାଧିକ ଜଳ ନିଷ୍କାସନ। ଅଧିକାରୀମାନେ କହିଛନ୍ତି ଯେ ଜଳର ପରିମାଣ ହ୍ରାସ ପାଇବା ଆରମ୍ଭ ହେବାର ସମ୍ଭାବନା ଅଛି, କିନ୍ତୁ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପଡିବ।
ଉଲ୍ଲେଖ ଯୋଗ୍ୟ, ନୂଆଦିଲ୍ଲୀ ସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ପକ୍ଷରୁ ୨୪x୭ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ | ବୈଦେଶିକ ମନ୍ତ୍ରଣାଳୟ (MEA) ହେଲ୍ପଲାଇନ୍ ନମ୍ବର — +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି। ଭାରତ ସମସ୍ତ ପ୍ରକାରର ମାନବିକ ସହାୟତା ଯୋଗାଇବାକୁ ପ୍ରସ୍ତୁତ। ଭାରତୀୟ ବାୟୁସେନା ବିମାନ ଦ୍ୱାରା ରିଲିଫ୍ ସାମଗ୍ରୀ ପଠାଯାଉଛି ଏବଂ ଏନଡିଆରଏଫ ଦଳ ନିୟୋଜିତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

