Modi Cabinet Reshuffle: ମୋଦି କ୍ୟାବିନେଟ୍ରେ ବଡ଼ ‘ରିସେଟ୍’! ବିଦା ହେବେ ୭୦+ ମନ୍ତ୍ରୀ? ଜାଣନ୍ତୁ କାହାର କଟିବ ପତ୍ତା, କାହାକୁ ମିଳିବ ମନ୍ତ୍ରୀପଦ?
ନୂଆଦିଲ୍ଲୀ: ବିଜେପିର ସଂଗଠନରେ ବଡ଼ ପରିବର୍ତ୍ତନ ପରେ ଏବେ ମୋଦି ସରକାରର ଟିମ୍ରେ ମଧ୍ୟ ‘ରିସେଟ୍’ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ମନ୍ତ୍ରିମଣ୍ଡଳରେ ଯୁବ, ମହିଳା, ଆଞ୍ଚଳିକ ପ୍ରତିନିଧିତ୍ୱ ଓ ସହଯୋଗୀ ଦଳଙ୍କୁ ଅଧିକ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
ବର୍ତ୍ତମାନ ମୋଦିଙ୍କ କାଉନ୍ସିଲ୍ ଅଫ୍ ମିନିଷ୍ଟର୍ସରେ ୬୯ ଜଣ ସଦସ୍ୟ ଅଛନ୍ତି। ସାମ୍ବିଧାନିକ ଭାବେ ଏହି ସଂଖ୍ୟା ସର୍ବାଧିକ ୮୧ ହୋଇପାରିବ। ତେବେ ଏହା କେବଳ ଖାଲି ପଦ ପୂରଣ ପାଇଁ ହେବନି; ବରଂ ନିର୍ବାଚନୀ ରଣନୀତି ଓ ‘ଜେନେରେସନାଲ୍ ରିସେଟ୍’କୁ ନଜରରେ ରଖି ହୋଇପାରେ। ଯେଉଁଥିରେ ମନ୍ତ୍ରୀମାନଙ୍କ ପ୍ରଦର୍ଶନ, ବୟସ, ଅଞ୍ଚଳୀୟ ସନ୍ତୁଳନ ଏବଂ ନିର୍ବାଚନୀ ଆବଶ୍ୟକତା ମଧ୍ୟ ମୁଖ୍ୟ ମାପଦଣ୍ଡ ହୋଇପାରେ।
ବିଜେପିର ନୂଆ ସାଂଗଠନିକ ଟିମ୍ରେ ୬୫ ଜଣଙ୍କ ମଧ୍ୟରୁ ୫୧ ନୂଆ ମୁହଁ ଆସିଛନ୍ତି। ଏହା ପରେ ସରକାରରେ ମଧ୍ୟ ନୂଆ ଓ ଯୁବ ଚେହେରାଙ୍କୁ ଆଣିବା ନେଇ ଚର୍ଚ୍ଚା ହେଉଛି। ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ବଢ଼ିପାରେ। ବର୍ତ୍ତମାନ ଥିବା ୭ ଜଣ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ଅତି କମରେ ୧୨ କରିବା ନେଇ ଚର୍ଚ୍ଚା ଚାଲିଥିବା କୁହାଯାଉଛି। ସବୁଠୁ ବଡ଼ ଫୋକସ୍ ରହିପାରେ ଯୁବ ଚେହେରାଙ୍କ ଉପରେ। ବର୍ତ୍ତମାନ ୫୦ ବର୍ଷରୁ କମ୍ ବୟସର ମାତ୍ର ୧୭ ଜଣ ମନ୍ତ୍ରୀ ଅଛନ୍ତି। ଏହି ଅଂଶୀଦାରିତ୍ୱକୁ ୨୪ ପ୍ରତିଶତରୁ ପ୍ରାୟ ୪୦ ପ୍ରତିଶତକୁ ବଢ଼ାଇବା ନେଇ ମନ୍ଥନ ହେଉଥିବା ସୂଚନା ରହିଛି। ୪୦ ବର୍ଷରୁ କମ୍ ବୟସର ଅତି କମରେ ୫ ଜଣ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ। ଅନ୍ୟପଟେ, ୭୦ ବର୍ଷରୁ ଅଧିକ ବୟସର କିଛି ମନ୍ତ୍ରୀଙ୍କୁ ନେଇ ମଧ୍ୟ ପୁନର୍ବିଚାର ହୋଇପାରେ। କୁହାଯାଉଛି, ୭୦ ବର୍ଷରୁ ଅଧିକ ବୟସର ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶଙ୍କୁ ଦାୟିତ୍ୱରୁ ହଟାଇବା ନେଇ ମଧ୍ୟ ଚର୍ଚ୍ଚା ରହିଛି। ଏହାକୁ ମୋଦି ସରକାରଙ୍କ ‘ଜେନେରେସନ୍ ରିସେଟ୍’ ଭାବେ ଦେଖାଯାଉଛି।
ତେବେ ଏହି ଅଦଳବଦଳ ପଛରେ ରହିଛି ନିର୍ବାଚନୀ ଗଣିତ ମଧ୍ୟ । ୨୦୨୭ ବିଧାନସଭା ନିର୍ବାଚନ ଏବଂ ୨୦୨୯ ଲୋକସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟଭିତ୍ତିକ ପ୍ରତିନିଧିତ୍ୱ ଓ ସହଯୋଗୀ ଦଳଙ୍କୁ ଅଧିକ ସ୍ଥାନ ଦେବା ନେଇ ମଧ୍ୟ ବିଚାର ହୋଇପାରେ। ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ପଞ୍ଜାବ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟକୁ ଅଧିକ ପ୍ରତିନିଧିତ୍ୱ ଦେବା ନେଇ ବିଚାର ହୋଇପାରେ।
ଏହା ସହ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ୱ ଧରିଥିବା ମନ୍ତ୍ରୀଙ୍କ ଉପରୁ ଚାପ କମାଇବା ପାଇଁ ବିଭାଗ ପୁନଃବଣ୍ଟନ ହୋଇପାରେ। କାରଣ ନିକଟରେ ଧର୍ମେନ୍ଦ୍ର ପ୍ରଧାନ, ରବନୀତ ସିଂହ ବିଟ୍ଟୁ ଓ ଜର୍ଜ କୁରିଆନଙ୍କ ବିଦାୟ ପରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ସମୀକରଣ ବଦଳିଛି। ତେଣୁ ଆଗାମୀ ଅଦଳବଦଳରେ କିଏ ରହିବେ, କିଏ ଆସିବେ ଏବଂ କାହାର ବିଭାଗ ବଦଳିବ, ଏହା ଉପରେ ଏବେ ସମସ୍ତଙ୍କ ନଜର।

