ପୁରୀ: ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷା ଓ ପବନ ମଧ୍ୟରେ ବୁଧବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଉପରେ ଉଡୁଥିବା ପବିତ୍ର ‘ପତିତପାବନ ବାନା’ରେ ଏକ ‘ଶୂନ୍ୟ ଗଣ୍ଠି’ ସୃଷ୍ଟି ହୋଇଛି। ଏହି ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ଅନେକ ଛୋଟ ଛୋଟ ଧ୍ୱଜା ଛିଣ୍ଡିଯାଇ ମନ୍ଦିର ଶିଖରର ଉପରିଭାଗ ବା ‘ଦଧିନଉତି’ ଉପରେ ପଡ଼ିଥିଲା।
ପ୍ରଚଳିତ ବିଶ୍ୱାସ ଅନୁଯାୟୀ, ପତିତପାବନ ବାନାରେ ‘ଶୂନ୍ୟ ଗଣ୍ଠି’ ପଡ଼ିବା ଏକ ଶୁଭ ସଙ୍କେତ ବୋଲି ବିବେଚନା କରାଯାଏ। ଝଡ଼-ବର୍ଷା ସମୟରେ କିମ୍ବା ପ୍ରବଳ ବେଗରେ ପବନ ବହୁଥିବା ବେଳେ ଦୁଇ ବା ତଦୁର୍ଦ୍ଧ୍ୱ ବାନା ପରସ୍ପର ସହ ଜଡ଼ିତ ହୋଇଯାଆନ୍ତି, ସେତେବେଳେ ପ୍ରାକୃତିକ ଭାବେ ଏହି ଗଣ୍ଠି ସୃଷ୍ଟି ହୋଇଥାଏ। ଆକାଶରେ ପ୍ରାକୃତିକ ଉପାୟରେ ସୃଷ୍ଟି ହେଉଥିବାରୁ ଏହାକୁ ‘ଶୂନ୍ୟ ଗଣ୍ଠି’ କିମ୍ବା ‘ବ୍ରହ୍ମ ଗଣ୍ଠି’ ବୋଲି କୁହାଯାଏ। ଏହି ଗଣ୍ଠିଗୁଡ଼ିକର ଓଜନ ୫ ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। ତେବେ ବର୍ତ୍ତମାନ ସମୟରେ ବାନାର ଦୈର୍ଘ୍ୟ ପ୍ରାୟ ୧୪ ହାତକୁ ସୀମିତ ରଖାଯାଉଥିବାରୁ ଏଭଳି ଗଣ୍ଠି ପଡ଼ିବାର ଘଟଣା ବହୁତ ବିରଳ ହୋଇଯାଇଛି।
ଜଣେ ସେବାୟତଙ୍କ ସୂଚନା ଅନୁଯାୟୀ, ପୂର୍ବ କାଳରେ ଯେତେବେଳେ ପ୍ରତିଦିନ ୧୫୦ ହାତ କିମ୍ବା ୫୧ ହାତ ଲମ୍ବର ବଡ଼ ବାନା ଉଡ଼ାଯାଉଥିଲା। ସେତେବେଳେ ଏଭଳି ଗଣ୍ଠି ପଡ଼ିବାର ଘଟଣା ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିଲା।

