Latest Odisha News

BREAKING NEWS

ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମକୁ ଟକ୍କର ଦେବ ‘କ୍ଲବ୍’ ଆପ୍: କମ୍ ଫଲୋଅର୍ସ ଥାଇ ବି କ୍ରିଏଟର କରିପାରିବେ ରୋଜଗାର

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରୁ ରୋଜଗାର କରିବା ଶୁଣିବାକୁ ଯେତିକି ସହଜ ଲାଗେ, ବାସ୍ତବରେ ତାହା ସେତିକି ସିଧାସଳଖ ନୁହେଁ। ୟୁଟ୍ୟୁବ୍ ହେଉ କିମ୍ବା ଇନଷ୍ଟାଗ୍ରାମ୍, ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ ଲକ୍ଷ ଭ୍ୟୁଜ୍ ଏବଂ ଅନେକ ସର୍ତ୍ତାବଳୀ ପୂରଣ କରିବାକୁ ପଡ଼ିଥାଏ । ତେବେ ଏହି ପାରମ୍ପରିକ ବିଜ୍ଞାପନ ଭିତ୍ତିକ ମଡେଲକୁ ବଦଳାଇବା ପାଇଁ ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ‘କିକ୍’ ଏହାର ଏକ ନୂଆ ଆପ୍ ‘କ୍ଲବ୍’ ବଜାରକୁ ଛାଡିଛି। କମ୍ କିନ୍ତୁ ବିଶ୍ୱସ୍ତ (ଲୟାଲ୍) ଫ୍ୟାନ୍ସ ଥିବା କ୍ରିଏଟରମାନଙ୍କୁ ସିଧାସଳଖ ରୋଜଗାରର ସୁଯୋଗ ଦେବା ହେଉଛି ଏହି ଆପ୍‌ର ମୂଳ ଲକ୍ଷ୍ୟ ।

ଗତ ଅଗଷ୍ଟ ୧୯ ତାରିଖରେ ଅଫିସିଆଲ୍ ଭାବେ ଲଞ୍ଚ ହୋଇଥିବା ଏହି ‘କ୍ଲବ୍’ ଆପ୍ ଟେଷ୍ଟିଂ ପର୍ଯ୍ୟାୟରେ ମାତ୍ର ଦୁଇ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ଯୋଡ଼ିବାରେ ସଫଳ ହୋଇଛି । କମ୍ପାନୀର ଦାବି ଅନୁଯାୟୀ, ଆକାଉଣ୍ଟ ଖୋଲିଥିବା ୯୦ ପ୍ରତିଶତ କ୍ରିଏଟର ଏବେ ବି ସକ୍ରିୟ ଅଛନ୍ତି। ବିଶେଷକରି ଗେମରମାନେ ଏହି ପ୍ଲାଟଫର୍ମକୁ ଅଧିକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଭାରତରେ ‘କିକ୍’ ଆପ୍ ଉପଲବ୍ଧ ଥିବାବେଳେ ଖୁବଶୀଘ୍ର ‘କ୍ଲବ୍’ ଏଣ୍ଟ୍ରି କରିବାର ସମ୍ଭାବନା ରହିଛି ।

କିପରି ହେବ ରୋଜଗାର?

ୟୁଟ୍ୟୁବ୍ ଭଳି ଏଠାରେ ରୋଜଗାର ପାଇଁ ହଜାର ହଜାର ସବସ୍କ୍ରାଇବର କିମ୍ବା ଘଣ୍ଟା ଘଣ୍ଟାର ୱାଚ୍-ଟାଇମ୍ ଦରକାର ନାହିଁ । କ୍ରିଏଟରମାନେ ନିଜ ପ୍ରଶଂସକଙ୍କ ଠାରୁ ମାସିକ ମେମ୍ବରସିପ୍ ଫି’ ଆକାରରେ ଟଙ୍କା ଆଦାୟ କରିପାରିବେ । ଏହାବ୍ୟତୀତ କିଛି ସ୍ୱତନ୍ତ୍ର ପୋଷ୍ଟ ବା କଣ୍ଟେଣ୍ଟକୁ ଦେଖିବା ପାଇଁ ୟୁଜରଙ୍କୁ ପେମେଣ୍ଟ କରିବାକୁ ପଡ଼ିବ । ଫ୍ୟାନ୍ସ ଚାହିଁଲେ ନିଜ ପ୍ରିୟ କ୍ରିଏଟରଙ୍କୁ ସିଧାସଳଖ ଟିପ୍ ଦେବା ସହ କଥାବାର୍ତ୍ତା ପାଇଁ ମଧ୍ୟ ନେଣଦେଣ ପ୍ରଦାନ କରିପାରିବେ । ଅର୍ଥାତ୍ ୫ ହଜାର ଫଲୋଅର୍ସଙ୍କ ମଧ୍ୟରୁ ଯଦି ମାତ୍ର ୫୦୦ ଜଣ ବି ଟଙ୍କା ଦେଇ କଣ୍ଟେଣ୍ଟ ଦେଖିବାକୁ ରାଜି ହୁଅନ୍ତି, ତେବେ କ୍ରିଏଟରଙ୍କୁ ଆଉ ବିଜ୍ଞାପନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ପ୍ଲାଟଫର୍ମ ନେବ କେତେ ଭାଗ?

ୟୁଟ୍ୟୁବ୍ ସାଧାରଣତଃ ଫ୍ୟାନ୍-ଫଣ୍ଡିଂ ରାଜସ୍ୱର ୭୦% ଏବଂ ବିଜ୍ଞାପନ ଆୟର ୫୫% କ୍ରିଏଟରଙ୍କୁ ଦେଇଥାଏ। ଅନ୍ୟପକ୍ଷରେ, ‘କ୍ଲବ୍’ ଆପ୍ ନିଜ ମଡେଲରେ କ୍ରିଏଟରଙ୍କ ମୋଟ ରୋଜଗାରରୁ ୨୦ ପ୍ରତିଶତ ଅଂଶ ନେବ ବୋଲି ଜଣାପଡିଛି । ତେବେ ଏହି ନୂଆ ମଡେଲ କ୍ରିଏଟରଙ୍କ ପାଇଁ ଆକର୍ଷଣୀୟ ଲାଗୁଥିଲେ ମଧ୍ୟ ପ୍ରଶଂସକମାନେ ଟଙ୍କା ଖର୍ଚ୍ଚ କରିବାକୁ କେତେ ଆଗ୍ରହ ଦେଖାଉଛନ୍ତି, ତାହା ଉପରେ ହିଁ ଏହି ନୂତନ ଆପ୍‌ର ପ୍ରକୃତ ସଫଳତା ନିର୍ଭର କରିବ ବୋଲି ‘କ୍ଲବ୍’ର ସିଇଓ ହେନରିକ୍ ପୋଲମ୍ୟାନ୍ ମତ ଦେଇଛନ୍ତି।

Leave A Reply

Your email address will not be published.