Latest Odisha News

BREAKING NEWS

ଉଷା ପଢ଼ୀଙ୍କ ସହ ଆମେ ଭୁବନେଶ୍ୱରିଆ ପ୍ରତିନିଧିମଣ୍ଡଳର ସାକ୍ଷାତ;୨୦୨୫ ଗେଜେଟ୍ ବିଜ୍ଞପ୍ତି ଅଧୀନରେ ନିୟମିତକରଣ ପାଇଁ ଦାବି

ଭୁବନେଶ୍ୱର:ଆମେ ଭୁବନେଶ୍ୱରିଆ, ଭୁବନେଶ୍ୱର ଉନ୍ନୟନ ପରିଷଦ, ଜନ ଜାଗରଣ ତଥା ସହଯୋଗୀ ଆବାସିକ କଲ୍ୟାଣ ସମିତି, ହାଉସିଂ ସୋସାଇଟି ଓ ଛୋଟ ବ୍ୟବସାୟୀଙ୍କ ଏକ ପ୍ରତିନିଧିମଣ୍ଡଳ ଆଜି ଗୃହ ଓ ନଗର ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପଢ଼ୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ
ବିଏମସି ଜାରି କରିଥିବା ପ୍ରାୟ ୪,୬୨୩ଟି ସମାନ ଧରଣର ଶୋ-କଜ୍ ନୋଟିସ୍ ବିରୁଦ୍ଧରେ ଜରୁରୀ ଅଭିଯୋଗ ଦାଖଲ କରିଛନ୍ତି।

ପ୍ରତିନିଧିମଣ୍ଡଳରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ଆମେ ଭୁବନେଶ୍ୱରିଆର ସଭାପତି ବିଜୟ କୁମାର ପଟ୍ଟନାୟକ, ଭା.ପ୍ର.ସେ. (ଅବସର ପ୍ରାପ୍ତ)ଙ୍କ ନେତୃତ୍ୱରେ ଆବାହକ ବାସୁଦେବ ଭଟ୍ଟ, ସମ୍ପାଦକ ପ୍ରଣବ ସ୍ୱାଇଁ, ମୁଖ୍ୟ ସଂଯୋଜକ ସଞ୍ଜୟ ଦାସ, ବରିଷ୍ଠ ସଦସ୍ୟ କୈଳାସ ମହାପାତ୍ର, ପ୍ରଦ୍ୟୁମ୍ନ ଦାସ, ନାରାୟଣ ମହାପାତ୍ର ଓ ନିଶିଥ ନନ୍ଦ ଆଲୋଚନାରେ ଉପସ୍ଥିତ ଥିଲେ।

ନୋଟିସ୍‌ଗୁଡ଼ିକ (ପତ୍ର ସଂ ୪୫୩୦୮, ୪୫୧୦୮, ୪୫୨୭୫ ତା. ୩୧.୦୭.୨୦୨୬ ଓ ୪୫୦୭୭ ତା. ୩୦.୦୭.୨୦୨୬) ଉତ୍ତର ଜୋନ୍‌ର ୧,୭୧୨ ଓ ଦକ୍ଷିଣ-ପୂର୍ବ ଜୋନ୍‌ର ୧,୩୮୧ଟି ପ୍ରାଙ୍ଗଣ ସହ ଅନ୍ୟ ଜୋନ୍‌କୁ ଆବୃତ କରିଛି। ବାଣିଜ୍ୟିକ ନକ୍ସା ଓ ଅଧିଭୋଗ ପ୍ରମାଣପତ୍ର ନଦେଲେ ସିଲିଂ କିମ୍ବା ଭାଙ୍ଗିବାର ନୋଟିସ ରହିଛି।

ଆମେ ଭୁବନେଶ୍ୱରିଆଙ୍କ ଦାବି ଗୁଡିକ ହେଲା:-

୧. ସିଲିଂ ଭାଙ୍ଗିବା, ବିଦ୍ୟୁତ୍-ଜଳ ବିଚ୍ଛିନ୍ନ ପରି ଅତ୍ୟଧିକ ଚାପ ତୁରନ୍ତ ସ୍ଥଗିତ ରହୁ ।
୨. ଗେଜେଟ୍ ବିଜ୍ଞପ୍ତି 2025 ଓ ୨୩ଟି ଅନୁମୋଦିତ ବ୍ୟବହାରର ପ୍ରଥମେ ପରୀକ୍ଷା କରାଯାଉ ।
୩. ନଥି ଯୋଗାଡ଼ ପାଇଁ ଛଅ ମାସ ଦିଆଯାଉ।
୪. ନାଗରିକ ପରାମର୍ଶ ଓ ସଚେତନତା ପାଇଁ ବିଏମସି ପଦକ୍ଷପ ନେଉ ।
୫. “ସର୍ବକ୍ଷମା ଯୋଜନା”ରେ ନିୟମିତକରଣ ପାଇଁ ସରକାର ଯୋଜନା କରନ୍ତୁ ।
୬. କେବଳ ଜନସୁରକ୍ଷା ବିପନ୍ନ କରୁଥିବା ବଡ଼ ଅବୈଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ।

ଉଷା ପଢ଼ୀ ଦାବିରେ ସହମତ ପ୍ରକାଶ କରି ଆଶ୍ୱାସନା ଦେଇଛନ୍ତି ଯେ ଆମେ ଭୁବନେଶ୍ୱରିଆ ସହ ପରାମର୍ଶ ବୈଠକ ଡକାଯିବ, ନୋଟିସ୍ ଦ୍ୱାରା ଭୁବନେଶ୍ୱରିଆଙ୍କୁ ଆତଙ୍କିତ କରାଯିବ ନାହିଁ ଏବଂ ୨୦୨୫ ଗେଜେଟ୍ ଅଧୀନରେ ଉଲ୍ଲଂଘନ ନିୟମିତ କରିବାକୁ ସୁବ୍ୟବସ୍ଥିତ ପ୍ରକ୍ରିୟା ଅନୁସରଣ କରାଯିବ।

ଆବାହକ ବାସୁଦେବ ଭଟ୍ଟ କହିଛନ୍ତି ଯେ,“ବିଭାଗ ବିଏମସିକୁ ନିର୍ଦ୍ଦେଶ ଦେବେ — ଆମେ ଭୁବନେଶ୍ୱରିଆ ସହ ପରାମର୍ଶ ବୈଠକ ଡକାଯାଉ, କୌଣସି ପଦକ୍ଷେପ ପୂର୍ବରୁ ନାଗରିକଙ୍କ ସହ ଆଲୋଚନା ହେଉ। ଟ୍ରେଡ୍ ଲାଇସେନ୍ସ ଜାରି କରିବାର ପ୍ରକ୍ରିୟା ଚାଲୁ ରଖନ୍ତୁ; ବନ୍ଦ ହେଲେ ଛୋଟ ଓ ସୀମାନ୍ତ ବ୍ୟବସାୟୀଙ୍କ ରୋଜଗାର ବନ୍ଦ ହୋଇଯିବ। ନୋଟିସ୍‌ ଦେବାରେ ଭେଦଭାବ କିମ୍ବା ରାଜନୈତିକଚାପ ଚାପ ରହିବ ନାହିଁ। ଜଣକୁ ଦେଇ ଅନ୍ୟକୁ ଛାଡିବାର ନଜିର ଆସିଛି, ଏହା ଠିକ ନୁହେଁ । ନୋଟିସ୍ ଦିଆଯିବା ମାତ୍ରେ ବିଦ୍ୟୁତ୍ ଓ ଜଳ ବନ୍ଦ କରାଯିବ ନାହିଁ। ଯଥୋଚିତ ପ୍ରକ୍ରିୟା ଓ ୨୦୨୫ ଗେଜେଟ୍ ବିନା ଯଦି ହଇରାଣ ଜାରି ରହେ, ପାଞ୍ଚ ହଜାର ନାଗରିକଙ୍କୁ ନେଇ ଜନଆନ୍ଦୋଳନକୁ ଆମେ ବାଧ୍ୟ ହେବୁ।”

ୟୁଜର ଫି ବାବଦକୁ ଅଫିଡ଼ାବିଟ ଦେବାପାଇଁ ବିଏମସିକୁ ନିର୍ଦେଶ ଦେବାକୁ ଭଟ୍ଟ ଉଷା ପାଢ଼ିଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.