ଭୁବନେଶ୍ୱର:ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବ ଓ ଗୁରୁତ୍ଵପୂର୍ଣ୍ଣ ଦିଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେବା ସହିତ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବିଭାଗ ପକ୍ଷରୁ ଉପସ୍ଥାପିତ ପ୍ରତ୍ୟେକ ପ୍ରସ୍ତାବ ଓ ଦିଗକୁ ଗୁରୁତ୍ୱର ସହ ନେବା ସହିତ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୧୦ଟି ମୁଖ୍ୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ସେଗୁଡିକ ହେଲା- ଜିରୋ ଟଲରେନ୍ସ ନୀତି, ଦଣ୍ଡବିଧାନ ହାର ବୃଦ୍ଧି, ନିଶାମୁକ୍ତ ଓଡ଼ିଶା, ତଟରେଖା ଓ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ଡାର୍କ ୱେବ୍, ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ, ଥାନା ଆଧୁନିକୀକରଣ , ପୋଲିସର ଜନସାଧାରଣଙ୍କ ପ୍ରତି ନମ୍ର, ସମ୍ବେଦନଶୀଳ ଓ ଭରସାଯୋଗ୍ୟ ବ୍ୟବହାର, ‘ଦାଦା ବଟି’ ଓ ଚାନ୍ଦା ଆଦାୟ ଉପରେ ରୋକ୍, ଦୁର୍ନୀତିମୁକ୍ତ ଓ ସମର୍ପିତ ପୋଲିସିଂ ।
ସାଧାରଣ ନାଗରିକଙ୍କ ପ୍ରତି ପୋଲିସର ନମ୍ର ଓ ସମ୍ବେଦନଶୀଳ ବ୍ୟବହାର ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀ ଜଣେ ପୀଡ଼ିତ, ତେଣୁ ସେମାନଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହିଳାଙ୍କ ପ୍ରତି ହେଉଥିବା ହିଂସା ଏବଂ ସଂଗଠିତ ଅପରାଧ ବିରୋଧରେ ସରକାର ‘ଜିରୋ ଟଲରେନ୍ସ’ ନୀତି ଆପଣାଇଛନ୍ତି। NCRB ର ତଥ୍ୟ ଅନୁଯାୟୀ ପୂର୍ବରୁ ଥିବା କମ୍ ଦଣ୍ଡବିଧାନ ହାରରେ ଏବେ ଉଲ୍ଲେଖନୀୟ ସୁଧାର ଆସି ୪୦ ପ୍ରତିଶତରୁ ଅଧିକ ହୋଇଛି, ଯାହାକୁ ଅତି କମରେ ୭୫ ପ୍ରତିଶତକୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପାର୍ବଣ ଋତୁ ଆସୁଥିବାରୁ ‘ଦାଦା ବଟି’ ଓ ବେଆଇନ ଜୋର-ଜବରଦସ୍ତି ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟକୁ ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ‘ନିଶାମୁକ୍ତ ଓଡ଼ିଶା’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ। କେବଳ ଜବତ ଓ ଗିରଫଦାରୀରେ ସୀମିତ ନରହି, ନିଶାଦ୍ରବ୍ୟ ଓ ବେଆଇନ ଚାଲାଣର ମୂଳ ଯୋଗାଣ ଶୃଙ୍ଖଳା ଏବଂ ଆର୍ଥିକ ସିଣ୍ଡିକେଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନିଶା କାରବାର ବନ୍ଦ ହେଲେ ରାଜ୍ୟରେ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ଓ ସାମୁଦ୍ରିକ ସୀମା ଦେଇ ହେଉଥିବା ଅନୁପ୍ରବେଶକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଗ୍ରହଣ କରିଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।
ଭୁବନେଶ୍ୱରଠାରେ ‘Command & Control Centre’, ୧୦ଟି ଡ୍ରୋନ୍, ୫ଟି ଟ୍ରଲର୍, ୧୦ଟି ଆଧୁନିକ ଇଣ୍ଟରସେପ୍ଟର ବୋଟ୍ କ୍ରୟ ପ୍ରକ୍ରିୟା ଏବଂ ଅଲ୍ ଟେରେନ୍ ଭେଇକିଲ୍ (ATV) ମାଧ୍ୟମରେ ବେଳାଭୂମି ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ସାମୁଦ୍ରିକ ସୁରକ୍ଷା ପାଇଁ SPO ଏବଂ ପୂର୍ବତନ ସେନାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସାଇବର ଅପରାଧ ଓ ଆର୍ଥିକ ଠକେଇ ରୋକିବା ପାଇଁ ବ୍ୟାପକ ସଚେତନତା ସହ ନୂତନ ଟେକ୍ନୋଲୋଜି ଓ ‘ଡାର୍କ ୱେବ୍’ ଉପରେ ନଜର ରଖିବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି।
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୋଲିସ ଅଧିକାରୀଙ୍କ ସହ ସିଧାସଳଖ ଭାବ ବିନିମୟ କରି ସେମାନଙ୍କ କାର୍ଯ୍ୟକ୍ଷେତ୍ରର ସମସ୍ୟା ଓ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ନିଷ୍ଠାର ସହ ସାଧୁତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟର ଶିଳ୍ପ ବିକାଶ ଓ ନାଗରିକଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୋଲିସର ‘We Serve and Protect’ ସ୍ଲୋଗାନକୁ ମନେରଖି “ସୁରକ୍ଷିତ ଓଡ଼ିଶା—ସଶକ୍ତ ଓଡ଼ିଶା—ସମୃଦ୍ଧ ଓଡ଼ିଶା” ଗଠନରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ପୋଲିସ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ ଜନସାଧାରଣଙ୍କ ପ୍ରତି ପୋଲିସର ସେବା ବ୍ୟବସ୍ଥାକୁ ଆହୁରି ଗୁଣାତ୍ମକ ଓ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

