Latest Odisha News

BREAKING NEWS

କୋର୍ଟଙ୍କ ନିୟମ ଭାଙ୍ଗିବା ପଡ଼ିଲା ମହଙ୍ଗା: ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ପୁଣି ଏକ ନୂଆ ଅଡୁଆ ସୃଷ୍ଟି ହୋଇଛି । ଶନିବାର ଦିନ କୋଲକାତା ପୋଲିସ ପକ୍ଷରୁ ମମତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି। କୋଲକାତା ହାଇକୋର୍ଟଙ୍କ ଆଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାମରେ ଏହି ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ନିକଟରେ ଶେଷ ହୋଇଥିବା ଏକ ଛାତ୍ର ସମାବେଶକୁ କେନ୍ଦ୍ର କରି ପୋଲିସ ଏହି ପଦକ୍ଷେପ ନେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ତୃଣମୂଳ ଛାତ୍ର ପରିଷଦ (ଟିଏମସିପି) ର ଏକ କାର୍ଯ୍ୟକ୍ରମକୁ ନେଇ କୋଲକାତା ପୋଲିସ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଛି । ମମତା ବାନାର୍ଜୀଙ୍କ ସମେତ କାର୍ଯ୍ୟକ୍ରମର ଆୟୋଜକମାନଙ୍କ ବିରୋଧରେ ହେଷ୍ଟିଙ୍ଗ୍ସ ଥାନାରେ ଅଭିଯୋଗ ଦାୟର କରାଯାଇଛି । ପୋଲିସ ପକ୍ଷରୁ ଅଗଷ୍ଟ ୨୮ ତାରିଖରେ ହେଷ୍ଟିଙ୍ଗ୍ସ ଥାନାରେ କେସ୍ ନମ୍ବର ୧୧୨ ଅଧୀନରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୬୧(୨), ୨୨୩, ୧୨୫(କ), ୧୩୨ ଏବଂ ୨୮୫ ଲଗାଯାଇଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ମଧ୍ୟ-କୋଲକାତାର କ୍ୟାଥେଡ୍ରାଲ୍ ରୋଡ୍‌ଠାରେ ଟିଏମସିପିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ସମାବେଶ ଆୟୋଜନ କରିବା ପାଇଁ କୋଲକାତା ହାଇକୋର୍ଟ ପୂର୍ବରୁ କିଛି ସ୍ୱତନ୍ତ୍ର ସର୍ତ୍ତ ରଖିଥିଲେ, ଯାହାକୁ ସଭାସ୍ଥଳରେ ଠିକ୍ ଭାବେ ପାଳନ କରାଯାଇନଥିବା ପୋଲିସ ନିଜ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, କୋର୍ଟଙ୍କ ଆଦେଶ ଉଲ୍ଲଂଘନ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ଭୂମିକାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ।

ଅନ୍ୟପକ୍ଷରେ, ଏହି ମାମଲା ରୁଜୁ ହେବା ପୂର୍ବରୁ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି ଉପରେ ଜୋରଦାର ଆକ୍ରମଣ କରିଥିଲେ । କୋଲକାତାରେ ଆୟୋଜିତ ଏକ ରାଲିରେ ଉଦବୋଧନ ଦେଇ ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ସରକାର ସମୟରେ ପୋଲିସର ଏକ ମାନବୀୟ ଗୁଣ ଥିଲା, କିନ୍ତୁ ବିଜେପି ଏବେ ପୋଲିସକୁ ଏକ ‘ରାକ୍ଷସ’ରେ ପରିଣତ କରିଦେଇଛି ।

ବିଜେପି ବେଙ୍ଗଲରେ ଲୋକଙ୍କୁ ବିଭାଜନ କରିବା ପାଇଁ ଘୃଣ୍ୟ ରାଜନୀତି କରୁଛି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ପୋଲିସକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।

ଏଥିସହ ଆଗାମୀ ଦିନରେ ସେ ସମଗ୍ର ରାଜ୍ୟ ଗସ୍ତ କରିବେ ଏବଂ ଯଦି ତାଙ୍କୁ ସାଧାରଣ ସଭା କରିବାକୁ ଅନୁମତି ନ ମିଳେ, ତେବେ ସେ ରାସ୍ତାରେ ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ଖୋଲାଖୋଲି ଘୋଷଣା କରିଥିଲେ। ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ମଧ୍ୟରେ ମମତାଙ୍କ ବିରୋଧରେ ହୋଇଥିବା ଏହି ଏଫଆଇଆର ରାଜ୍ୟ ରାଜନୀତିରେ ଏକ ନୂଆ ବିବାଦର ସୂତ୍ରପାତ କରିଛି ।

Leave A Reply

Your email address will not be published.