Wife’s Maintenance: ସିଧା ସ୍ତ୍ରୀଙ୍କ ଆକାଉଣ୍ଟକୁ ଯିବ ଆପଣଙ୍କ ଦରମାର ଅଧା ଟଙ୍କା…ଛାଡପତ୍ର ପରେ ଭରଣାପୋଷଣା ନେଇ ବଡ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଏଣିକି ଦରମାରୁ ସିଧା କଟିବ ଟଙ୍କା…କିଛି ଆପଣଙ୍କ ଆକାଉଣ୍ଟକୁ, ଆଉ କିଛି ପାଇବେ ଆପଣଙ୍କ ପୂର୍ବତନ ସ୍ତ୍ରୀ…ମୁଖ୍ୟମନ୍ତ୍ରୀ ଦେଲେ ବଡ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ପିଲାଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି କଠୋର ହେବେ ରାଜ୍ୟ ସରକାର। ଛାଡ଼ପତ୍ର ମାମଲାରେ କୋର୍ଟ ଧାର୍ଯ୍ୟ କରିଥିବା ଭରଣପୋଷଣ ବା ଆଲିମୋନି ଟଙ୍କା ସ୍ୱାମୀଙ୍କ ଦରମାରୁ ସିଧାସଳଖ କାଟି ପତ୍ନୀ କିମ୍ବା ପିଲାଙ୍କ ଆକାଉଣ୍ଟରେ ଜମା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଅନେକ ରାଜ୍ୟ ସରକାରୀ କର୍ମଚାରୀ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ନିଜ ପତ୍ନୀ କିମ୍ବା ପିଲାଙ୍କୁ ଭରଣପୋଷଣ ଟଙ୍କା ଦେଉନଥିଲେ। ଛାଡ଼ପତ୍ର ମାମଲାରେ କୋର୍ଟ ଆଲିମୋନି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ଅବମାନନା କରାଯାଉଥିଲା। CMO କହିଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜନଅଭିଯୋଗ ଶୁଣାଣିରେ ଏଭଳି ୨ରୁ ୩ଟି ମାମଲା ଆସୁଥିଲା। ଏହାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ଟଙ୍କା ସିଧାସଳଖ କାଟି ପୂର୍ବତନ ପତ୍ନୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, କୋର୍ଟଙ୍କ ଭରଣପୋଷଣ କିମ୍ବା ଆଲିମୋନି ଦେବା ସମ୍ପର୍କିତ ଆଦେଶ ମିଳିବା ପରେ ସମ୍ପୃକ୍ତ ବିଭାଗର DDO (Drawing & Disbursement Officer) ପ୍ରତିମାସର ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ଧାର୍ଯ୍ୟ ଟଙ୍କା କାଟିବେ। ଏହି ଟଙ୍କାକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସିଧାସଳଖ ସମ୍ପୃକ୍ତ ପତ୍ନୀ କିମ୍ବା ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଯାହା ଦ୍ବାରା ସେମାନଙ୍କୁ ଆଉ ବାରମ୍ବାର ପୂର୍ବତନ ସ୍ବାମୀଙ୍କ ପାଖରେ ହାତ ପତାଇବାକୁ ପଡିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭରଣପୋଷଣ ପ୍ରଦାନ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ HRMS (Human Resources Management System) ସହିତ ଯୋଡ଼ାଯିବ। ଏହାଦ୍ୱାରା ପ୍ରକ୍ରିୟାକୁ ଆହୁରି ସରଳ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରାଯାଇପାରିବ। କୋର୍ଟଙ୍କ ଆଦେଶକୁ ଅବମାନନା କରି ପତ୍ନୀ ଓ ପିଲାଙ୍କ ପ୍ରତି ଅନ୍ୟାୟ କରିବା ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

