ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା ଅନୁମତି
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ସ୍କାନରରେ ଏବେ ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନର ଜେଲ୍ ଡିଜି ସୁଶାନ୍ତ ନାଥ ଆସିଯାଇଛନ୍ତି । ଏହି ବହୁଚର୍ଚ୍ଚିତ ନିଯୁକ୍ତି କେଳେଙ୍କାରୀର ଚେର ଖୋଜୁଖୋଜୁ ସିବିଆଇ ଏବେ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଆଡ଼କୁ ନିଜର ତଦନ୍ତ ପ୍ରକ୍ରିୟାକୁ ଅଗ୍ରସର କରାଇଥିବା ସ୍ପଷ୍ଟ ହୋଇଛି । ହଜାର ହଜାର ଯୋଗ୍ୟ ଆଶାୟୀଙ୍କ ସ୍ୱପ୍ନ ସହ ଖେଳାଯାଇଥିବା ଏହି ଘଟଣାରେ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ଯୋଡ଼ି ହେବା ରାଜ୍ୟ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଛି ।
ବରିଷ୍ଠ ଅଧିକାରୀ ସୁଶାନ୍ତ ନାଥଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ବିଧିବଦ୍ଧ ଚିଠି ଲେଖାଯାଇଛି, ଯାହା ଏବେ ପଦାକୁ ଆସିଛି । ସୂଚନା ଅନୁଯାୟୀ, ଯେତେବେଳେ ଏହି ଏସଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ସ୍କାମ୍ ହୋଇଥିଲା, ସେତେବେଳେ ସୁଶାନ୍ତ ନାଥ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି)ର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ତେଣୁ ତାଙ୍କ କାର୍ଯ୍ୟକାଳ ଭିତରେ କିପରି ଏତେ ବଡ଼ ଧରଣର ଜାଲିଆତି ହେଲା, ସେ ନେଇ ସିବିଆଇ ତାଙ୍କୁ ଜେରା କରିବାକୁ ପ୍ରସ୍ତୁତ ହେଉଛି । ଜଣେ ଆଇପିଏସ୍ ଅଧିକାରୀ ହୋଇଥିବାରୁ ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା କ୍ଷଣି ସିବିଆଇ ତାଙ୍କୁ ସମନ କରି ପଚରାଉଚରା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହି ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ଘରୋଇ ସଂସ୍ଥା ଏବଂ ଖୋଦ୍ ଓପିଆରବିର କାର୍ଯ୍ୟକଳାପ ବର୍ତ୍ତମାନ ସିବିଆଇ ତଦନ୍ତର ମୁଖ୍ୟ ଅଂଶବିଶେଷ ପାଲଟିଛି । ପରୀକ୍ଷା ପରିଚାଳନାରେ ରହିଥିବା ତ୍ରୁଟି, ପ୍ରଶ୍ନପତ୍ର ଲିକ୍ ବା ମେରିଟ୍ ଲିଷ୍ଟରେ ହେରଫେର ପଛରେ ବୋର୍ଡର କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପୃକ୍ତି ଥିଲା କି ନାହିଁ, ତାହାର ଟିକନିଖି ଖୋଳତାଡ଼ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ, ବୋର୍ଡର ତତ୍କାଳୀନ ଅଧ୍ୟକ୍ଷ ହିସାବରେ ସୁଶାନ୍ତ ନାଥଙ୍କ ବୟାନ ଏହି ମାମଲାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଯେ, ଏହି ଏସଆଇ ପରୀକ୍ଷା ସ୍କାମ୍ରେ ସମ୍ପୃକ୍ତ ଥିବା ୧୭ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଗତ ମେ’ ମାସରେ କୋର୍ଟ ଖାରଜ କରିଦେଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ କେନ୍ଦ୍ର କରି ସିବିଆଇ ନିଜର ତଦନ୍ତକୁ ଅଧିକ କ୍ରିୟାଶୀଳ କରିଥିବା ବେଳେ ଏବେ ବଡ଼ବଡ଼ିଆ ଅଫିସରମାନେ ରାଡାରକୁ ଆସିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗନାଲ୍ ଏବଂ ସିବିଆଇର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିଛି ।

