Latest Odisha News

BREAKING NEWS

SC Cancels FIRs: ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ FIR ରଦ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: NEET ପେପର୍ ଲିକ୍‌କୁ ନେଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା FIR ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ଦିଲ୍ଲୀ, ଆସାମ, ପଶ୍ଚିମବଙ୍ଗ ଓ ବିହାରରେ ଛାତ୍ରମାନଙ୍କ ବିରୋଧରେ ରୁଜୁ ହୋଇଥିବା FIR ରଦ୍ଦ କରିବାକୁ କହିଛନ୍ତି। ତେବେ ଦିଲ୍ଲୀ ପୋଲିସ୍‌ ପୂର୍ବରୁ ଅପରାଧିକ ମାମଲାରେ ଜଡ଼ିତ ଥିବା ୨,୮୭୩ ଜଣଙ୍କ ବିରୋଧରେ ମାମଲା ଜାରି ରଖିପାରିବ ବୋଲି କୋର୍ଟ କହିଛନ୍ତି। କୌଣସି ରାଜ୍ୟରେ ଏହି ଘଟଣା ସମ୍ପର୍କିତ ଆଉ କୌଣସି FIR ରୁଜୁ ହୋଇଥିଲେ, ତାହାର ସୂଚନା କୋର୍ଟଙ୍କୁ ଦିଆଯାଇନଥିଲେ ମଧ୍ୟ ଏହାକୁ ରଦ୍ଦ କରିବାରେ ରାଜ୍ୟ ସରକାର ବିରୋଧ କରିବେ ନାହିଁ ବୋଲି CJI କହିଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲା ସମ୍ପର୍କରେ ଅନ୍ୟ କୌଣସି ରାଜ୍ୟରେ ଆଉ FIR ଥିଲେ ତାହାର ତଦନ୍ତ ବନ୍ଦ କରାଯିବ। ଏଥିସହ ପେପର୍ ଲିକ୍‌କୁ ନେଇ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ କରିଥିବା ଛାତ୍ରଙ୍କ ବିରୋଧରେ ଏବେ ଆଉ କୌଣସି ନୂଆ FIR ରୁଜୁ କରାଯିବ ନାହିଁ। CJI କହିଛନ୍ତି, ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଜନ୍ତରମନ୍ତର ଓ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଘଟଣାକୁ ନେଇ ପୁଲିସ୍‌ ମୋଟ ୧୩ଟି FIR ରୁଜୁ କରିଥିଲା।

NEET ୨୦୨୬ ସମ୍ପର୍କିତ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୩ ମାସ ମଧ୍ୟରେ ନୀତି ପ୍ରସ୍ତୁତ କରି କ୍ଷତିପୂରଣ ଦେବାକୁ କୋର୍ଟ କହିଛନ୍ତି।

ଶୁଣାଣି ସମୟରେ CJPର କୋ-କନଭେନର ସୌରଭ ଦାସ ଦଳର ପକ୍ଷରୁ ବୟାନ ରଖି କହିଥିଲେ ଯେ, ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟ ଓ ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୫ରେ ଇଣ୍ଡିଆ ଗେଟ୍‌ ଅଭିମୁଖେ ହେବାକୁ ଥିବା ମାର୍ଚ୍ଚକୁ ପ୍ରତ୍ୟାହାର କରାଯାଉଛି। କୋର୍ଟଙ୍କ ଆଦେଶ ପାଳନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଶୁଣାଣି ସମୟରେ CJI ସୂର୍ଯ୍ୟକାନ୍ତ କହିଥିଲେ ଯେ, ଉଭୟ ପକ୍ଷ ପରସ୍ପର ଉପରେ ବିଶ୍ୱାସ ରଖିଲେ ସମସ୍ତ ସମସ୍ୟାକୁ ପର୍ଯ୍ୟାୟକ୍ରମେ ସମାଧାନ କରାଯାଇପାରିବ। ଖୋଲା ମନରେ ଆଲୋଚନା କଲେ ଦୁନିଆରେ ଏମିତି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ହୋଇପାରିବ ନାହିଁ ବୋଲି ସେ ମତ ଦେଇଥିଲେ।

Leave A Reply

Your email address will not be published.