Latest Odisha News

BREAKING NEWS

SCO photo: ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ଚିଟଚାଟ୍, ପୁଟିନଙ୍କ ପଛେ ପଛେ ଧାଇଁଲେ ଶରିଫ… SCO ଫଟୋ ଅପ୍‌ ପରେ ଭାଇରାଲ୍‌ ହେଲା ଭିଡିଓ

ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଶ୍କେକ୍‌ରେ ଚାଲିଥିବା ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ବିଶ୍ୱନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଗ୍ରୁପ୍‌ ଫଟୋ ପୂର୍ବରୁ ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ଉଷ୍ମତାପୂର୍ଣ୍ଣ ଆଲୋଚନା ହୋଇଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ନିକଟରେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଥିବା ଭିଡିଓ ଚର୍ଚ୍ଚାକୁ ଆସିଛି।

ଏଜେନ୍ସି ଦ୍ୱାରା ପ୍ରକାଶିତ ଫୁଟେଜ୍‌ ଅନୁସାରେ, ଗ୍ରୁପ୍‌ ଫଟୋ ପାଇଁ ନେତାମାନେ ନିଜ ନିଜ ସ୍ଥାନ ନେବା ପୂର୍ବରୁ ମୋଦିଙ୍କୁ ପୁଟିନ୍‌ ଅଭିବାଦନ ଜଣାଇଥିଲେ। ଏହାପରେ ସି ଜିନପିଙ୍ଗ୍‌ ମଧ୍ୟ ମୋଦିଙ୍କ ସହ କିଛି ସମୟ କଥା ହୋଇଥିଲେ। ଫଟୋ ସେସନ୍‌ ପରେ ମୋଦି ଓ ଜିନପିଙ୍ଗ୍‌ ଏକାଠି ଚାଲି ଚାଲି ଆଲୋଚନା କରୁଥିବା ଦେଖାଯାଇଥିଲା। ପାଖରେ ଠିଆ ହୋଇଥିବା ଶରିଫ୍‌ ଏହି ଦୃଶ୍ୟକୁ ଦେଖୁଥିବା ଭିଡିଓ ଏବେ ଚର୍ଚ୍ଚାର କାରଣ ପାଲଟିଛି।

ଆଉ ଗ୍ରୁପ୍‌ ଫଟୋ ସରିବା ପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଞ୍ଚରୁ ବାହାରୁଥିବା ବେଳେ ଶରିଫ୍‌ ତାଙ୍କ ଆଡ଼କୁ ଦ୍ରୁତ ଗତିରେ ଯାଇଥିଲେ। ତାଙ୍କ ପିଠିରେ ହାତ ବାଡେଇ ତାଙ୍କୁ ଅଟାକାଉଥିବାର ଦେଖିବାକୁ ମିଳିଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ଫୁଟେଜ୍‌ରେ ଶରିଫ୍‌ ପୁଟିନ୍‌ଙ୍କ ହାତ ଧରି ତାଙ୍କ ସହ କଥା ହେଉଥିବା ଦେଖାଯାଇଛି। ଏହି ଛୋଟ ଆଲୋଚନା ମଧ୍ୟ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଛି।

ବିଶେଷ କଥା ହେଉଛି, ଏହାର ଗୋଟିଏ ଦିନ ପୂର୍ବରୁ ମୋଦି ଓ ପୁଟିନ୍‌ଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ବୈଠକରେ ମୋଦି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ଶୀଘ୍ର ସମାଧାନ ପାଇଁ ଉଦ୍ୟମ କରିବାକୁ ପୁଟିନ୍‌ଙ୍କୁ ଅନୁରୋଧ କରିଥିଲେ। ଦୀର୍ଘସ୍ଥାୟୀ ଯୁଦ୍ଧ ମାନବତା ପାଇଁ କ୍ଷତିକାରକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦୁଇ ନେତା ବାଣିଜ୍ୟ, ନିବେଶ, ଶକ୍ତି ଓ ଖାଦ୍ୟ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଆଲୋଚନା କରିଥିଲେ।

ସମ୍ମିଳନୀରେ ମୋଦି ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଆତଙ୍କବାଦୀଙ୍କ ଅର୍ଥ ଯୋଗାଣ, ନିଯୁକ୍ତି, ମୌଳବାଦୀକରଣ ଓ ସୁରକ୍ଷିତ ଆଶ୍ରୟସ୍ଥଳୀର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ SCO ଦେଶଗୁଡ଼ିକୁ ଏକାଠି କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆତଙ୍କବାଦକୁ ରାଷ୍ଟ୍ର ନୀତିର ଉପକରଣ ଭାବେ ବ୍ୟବହାର କରୁଥିବା ଦେଶଗୁଡ଼ିକୁ ଦୃଢ଼ ବାର୍ତ୍ତା ଦେବା ଆବଶ୍ୟକ ବୋଲି ମୋଦି କହିଥିଲେ।

ସମ୍ମିଳନୀ ସମୟରେ ମୋଦି ଇରାନ୍‌ର ବିଦେଶ ମନ୍ତ୍ରୀ ସୟଦ୍‌ ଅବ୍ବାସ୍‌ ଆରାଘଚିଙ୍କୁ ଅଭିବାଦନ ଜଣାଇବା ସହ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସହ ମଧ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ମୁହୂର୍ତ୍ତ ବିତାଇଥିଲେ। ପରେ ମୋଦି ଓ ପୁଟିନ୍‌ଙ୍କୁ ନୋମାଡ୍‌ ଗେମ୍ସର ଉଦ୍‌ଘାଟନୀ ସମାରୋହ ପାଇଁ ଏକାଠି ଯାଉଥିବା ଦେଖାଯାଇଥିଲା।

ଏହି ସମସ୍ତ ଦୃଶ୍ୟ ମଧ୍ୟରେ ମୋଦି-ଜିନପିଙ୍ଗ୍‌ଙ୍କ ଆଲୋଚନା ଏବଂ ଶରିଫ୍‌ଙ୍କ ପୁଟିନ୍‌ଙ୍କ ପାଖକୁ ଜୋରରେ ଯିବା ଦୃଶ୍ୟ SCO ସମ୍ମିଳନୀର ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ପାଲଟିଛି।

Leave A Reply

Your email address will not be published.