Latest Odisha News

BREAKING NEWS

ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫ ଆନ୍ଦୋଳନରୁ ଓହରିଲା ସିଜେପି

ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ନିଟ୍ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଏବେ ଶାନ୍ତ ପଡ଼ିବାର ଆଶା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରି ସୁପ୍ରିମକୋର୍ଟ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ପ୍ରାଥମିକ ରିପୋର୍ଟ ବା ଏଫଆଇଆରକୁ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଐତିହାସିକ ତଥା ଛାତ୍ରପ୍ରତି ସମ୍ବେଦନଶୀଳ ନିଷ୍ପତ୍ତି ପରେ ସିଜେପି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଦିଆଯାଇଥିବା ଦେଶବ୍ୟାପୀ ଆନ୍ଦୋଳନ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ସାରା ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ। ବିକ୍ଷୋଭକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଦେଶର ବିଭିନ୍ନ ଥାନାରେ ବହୁ ଛାତ୍ରଙ୍କ ନାମରେ ଏଫଆଇଆର ରୁଜୁ କରିଥିଲା । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ କ୍ୟାରିୟରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହି ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଗ୍ରହଣ କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସାଧାରଣ ଛାତ୍ରଛାତ୍ରୀଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲା ଖାରଜ କରିଛନ୍ତି ।

ତେବେ ଏହି ଆଶ୍ୱସ୍ତି ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଆନ୍ଦୋଳନ ଆଳରେ ହିଂସା ଘଟାଇଥିବା, ସରକାରୀ ସମ୍ପତ୍ତି ନଷ୍ଟ କରିଥିବା କିମ୍ବା ପୂର୍ବରୁ ଅପରାଧିକ ପୃଷ୍ଠଭୂମି ଥିବା ୨୮୭୩ ଜଣ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହାଦ୍ୱାରା ପ୍ରକୃତ ଛାତ୍ର ଏବଂ ଆନ୍ଦୋଳନରେ ଅନୁପ୍ରବେଶ କରିଥିବା ଅସାମାଜିକ ତତ୍ତ୍ୱଙ୍କ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ କରାଯାଇପାରିଛି।

ଏହା ସହିତ ସୁପ୍ରିମକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାନବିକ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ନିଟ୍ ଆନ୍ଦୋଳନ ସମୟରେ ବିଭିନ୍ନ କାରଣରୁ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଆଗାମୀ ୩ ମାସ ମଧ୍ୟରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.