ବେଙ୍ଗାଲୁରୁ: ଦୁଲୀପ ଟ୍ରଫି ସେମିଫାଇନାଲରେ ବିଜୟ ସହ ଇଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଅଧିନାୟକ ଭାବେ ଅପରାଜେୟ ରହିଛନ୍ତି । ଚଳିତ ଦୁଲୀପ ଟ୍ରଫି ୨୦୨୬ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ସେଣ୍ଟ୍ରାଲ ଜୋନ୍କୁ ୪ ୱିକେଟରେ ପରାସ୍ତ କରି ଇଷ୍ଟ ଜୋନ ଫାଇନାଲରେ ପ୍ରବେଶ କରିଛି । ଘରୋଇ ରେଡ୍-ବଲ୍ ଟୁର୍ଣ୍ଣାମେଣ୍ଟରେ ୧୫ଟି ମ୍ୟାଚ୍ରେ ଅଧିନାୟକତ୍ୱ କରି ୨୮ ବର୍ଷୀୟ ଏହି ୱିକେଟକିପର-ବ୍ୟାଟର ୮ଟି ବିଜୟ ଏବଂ ୭ଟି ମ୍ୟାଚ୍ ଡ୍ର ରଖିଛନ୍ତି । ତାଙ୍କର ଚତୁର ଫିଲ୍ଡିଂ ସେଟିଂ ଏବଂ ବୋଲିଂ ପରିବର୍ତ୍ତନ ସେଣ୍ଟ୍ରାଲ ଜୋନ୍ର ପ୍ରମୁଖ ବ୍ୟାଟରମାନଙ୍କୁ ନିରନ୍ତର ସମସ୍ୟାରେ ପକାଇଥିଲା । ଏହି ବିଜୟ ଭାରତୀୟ ଟେଷ୍ଟ ଦଳକୁ ଫେରିବା ପାଇଁ ଇଶାନଙ୍କ ଦାବିକୁ ଆହୁରି ମଜବୁତ୍ କରିଛି । ଆକ୍ରମଣାତ୍ମକ ବ୍ୟାଟିଂ, ସଫଳ ୱିକେଟକିପିଂ ଏବଂ ସାହସିକ ନେତୃତ୍ୱ ବଳରେ ସେ ଇଷ୍ଟ ଜୋନ୍କୁ ଜାତୀୟ ଚାମ୍ପିୟନ୍ କରାଇବା ଲକ୍ଷ୍ୟରେ ଅଛନ୍ତି, ଯେଉଁଥିପାଇଁ ଏବେ ସମସ୍ତଙ୍କ ନଜର ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ ଉପରେ ରହିଛି ।
୨୦୧୨-୧୩ ସିଜନ୍ ପରେ ଇଷ୍ଟ ଜୋନ୍ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ମ୍ୟାଚ୍ର ତୃତୀୟ ଦିନରେ ଇଷ୍ଟ ଜୋନର ବୋଲର ଏବଂ ବ୍ୟାଟରମାନେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଏହି ଚିତ୍ତାକର୍ଷକ ବିଜୟ ଦେଇଛନ୍ତି । ଦ୍ୱିତୀୟ ଇନିଂସରେ ସେଣ୍ଟ୍ରାଲ ଜୋନ୍ ମାତ୍ର ୧୫୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଇଷ୍ଟ ଜୋନ୍ର ତାରକା ବୋଲର ମୁକେଶ କୁମାର ୪୪ ରନ୍ ଦେଇ ୪ଟି ୱିକେଟ୍ ଏବଂ ମହମ୍ମଦ ଶାମି ୫୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ । ମୁକେଶ କୁମାର ମ୍ୟାଚରେ ମୋଟ ୭ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
୧୫୯ ରନ୍ର ପିଛା କରୁଥିବା ଇଷ୍ଟ ଜୋନ୍ର ଆରମ୍ଭ ବେଶ୍ ଭଲ ରହିଥିଲା । ୧୫ ବର୍ଷୀୟ ଯୁବ ତାରକା ବ୍ୟାଟର ୱୈଭବ ସୂର୍ୟ୍ୟବଂଶୀ ୪୩ଟି ବଲ୍ରୁ ୪୦ ରନ୍ର ଏକ ଆକ୍ରମଣାତ୍ମକ ପାଳି ଖେଳି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ମଝିରେ ସେଣ୍ଟ୍ରାଲ ଜୋନ୍ର ସ୍ପିନର ହର୍ଷ ଦୁବେ (୪ ୱିକେଟ୍) ଲଗାତାର ୱିକେଟ୍ ନେଇ ଇଷ୍ଟ ଜୋନ୍ ଉପରେ ଚାପ ପକାଇଥିଲେ । ତେବେ ଅଧିନାୟକ ଇଶାନ କିଶନ (୩୯ ରନ୍) କରି ଦଳକୁ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୬ ରୁ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯିବ ।
ସେଣ୍ଟ୍ରାଲ ଜୋନ୍ (୧ମ ଇନିଂସ)୨୬୬/୧୦, ଇଷ୍ଟ ଜୋନ୍ (୧ମ ଇନିଂସ)୨୬୬/୧୦, ସେଣ୍ଟ୍ରାଲ ଜୋନ୍ (୨ୟ ଇନିଂସ)୧୫୮/୧୦
ଇଷ୍ଟ ଜୋନ୍ (୨ୟ ଇନିଂସ)୧୬୨/୬ (୪ ୱିକେଟରେ ବିଜୟୀ) ।

