ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୧୫ ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ପ୍ରଦାନ କରିଛନ୍ତି। ଗୃହ ବିଭାଗ ଅଧୀନରେ କାର୍ଯ୍ୟରତ ଏହି ସମସ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ତରର ଅଧିକାରୀମାନଙ୍କୁ ଓପିଏସ୍ (ଏସ୍ବି) ରାଙ୍କରୁ ଓପିଏସ୍ (ଏସ୍) ଅର୍ଥାତ ଆରକ୍ଷୀ ଅଧୀକ୍ଷକ କିମ୍ବା ଏସ୍ପି ପାହ୍ୟାକୁ ଉନ୍ନୀତ କରାଯାଇଛି।
ସେପ୍ଟେମ୍ବର ୧ ତାରିଖରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏହି ପଦୋନ୍ନତି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ପଦୋନ୍ନତି ସମ୍ପୂର୍ଣ୍ଣ ରୂପେ ଅସ୍ଥାୟୀ ଭିତ୍ତିରେ ପ୍ରଦାନ କରାଯାଇଛି। ନିୟମ ଅନୁଯାୟୀ, ଅଧିକାରୀମାନେ ପଦୋନ୍ନତି ପାଇବା ଦିନଠାରୁ ଗୋଟିଏ ବର୍ଷ ପାଇଁ, ଅଥବା ସେମାନଙ୍କ ଅବସର ଗ୍ରହଣ ସମୟ, କିମ୍ବା ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିଶ ମିଳିବା ପର୍ଯ୍ୟନ୍ତ, ଏହି ପଦବୀ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଓଆରଏସପି ରୁଲ୍ସ-୨୦୧୭ ଅନୁଯାୟୀ ନୂତନ ପଦବୀ ପାଇଁ ଅଧିକାରୀମାନେ ପେ-ମେଟ୍ରିକ୍ସ ଲେଭଲ୍-୧୪ ଅଧୀନରେ ୭୮,୮୦୦ ଟଙ୍କାରୁ ଆରମ୍ଭ କରି ୨,୦୯,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ହାର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପଦୋନ୍ନତି ପାଇବା ପରେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ୧୫ ଜଣ ଅଧିକାରୀ ନିଜ ନିଜର ବର୍ତ୍ତମାନର ପଦବୀ ଓ ସ୍ଥାନରେ କାର୍ଯ୍ୟ ଜାରି ରଖିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ସେମାନେ ସେହି ସ୍ଥାନରେ କାର୍ଯ୍ୟ କରିବେ, ସେହି ପଦବୀଗୁଡ଼ିକୁ ଓପିଏସ୍ (ଏସ୍) ରାଙ୍କର ସମକକ୍ଷ ଭାବେ ଘୋଷଣା କରାଯାଇଛି। ରାଜ୍ୟପାଳଙ୍କ ଆଦେଶ କ୍ରମେ ସରକାରଙ୍କ ଉପ-ସଚିବ ଆର. ପଣ୍ଡା ଏହି ବିଜ୍ଞପ୍ତି ଜାରି କରିଛନ୍ତି ।
ପଦୋନ୍ନତି ପାଇଥିବା ଅଧିକାରୀଙ୍କ ତାଲିକା:
- ପ୍ରଶାନ୍ତ କୁମାର ଦାସ (ଅତିରିକ୍ତ ଏସ୍ପି, ଗଞ୍ଜାମ)
- ରଞ୍ଜିତ କୁମାର ପୃଷ୍ଟି (ଅତିରିକ୍ତ ଡିସିପି, କଟକ ୟୁପିଡି)
- ସୁଶୀଲ କୁମାର ମିଶ୍ର (ଅତିରିକ୍ତ ଏସ୍ପି, ପୁରୀ)
- ଅମରେନ୍ଦ୍ର ପଣ୍ଡା (ଅତିରିକ୍ତ ଡିସିପି, କଟକ ୟୁପିଡି)
- ଦେବଦତ୍ତ ବରାଳ (ଅତିରିକ୍ତ ଏସ୍ପି, ରାଜ୍ୟ ପୋଲିସ ମୁଖ୍ୟାଳୟ)
- ଅଜୟ କୁମାର ମିଶ୍ର (ଅତିରିକ୍ତ ଏସ୍ପି, ଆଇୟୁସିଏଡବ୍ଲ୍ୟୁ, ସମ୍ବଲପୁର)
- ବିକାଶ ରଞ୍ଜନ ବେହୁରା (ଅତିରିକ୍ତ ଏସ୍ପି, ସିଆଇଡି-ସିବି, କଟକ)
- ଅରୁଣ କୁମାର ନାୟକ (ଅତିରିକ୍ତ ଏସ୍ପି, ଭିଜିଲାନ୍ସ)
- ଶିଶିର କୁମାର ମିଶ୍ର (ଅତିରିକ୍ତ ଏସ୍ପି, ଇଣ୍ଟେଲିଜେନ୍ସ, କଟକ ସିଆଇଡି-ସିବିରେ ଅବସ୍ଥାପିତ)
- ସୂର୍ଯ୍ୟମଣି ପ୍ରଧାନ (ଅତିରିକ୍ତ ଏସ୍ପି, ଢେଙ୍କାନାଳ)
- ବିଜୟ କୁମାର ମଲ୍ଲିକ (ଅତିରିକ୍ତ ଏସ୍ପି, ସିଆଇଡି-ସିବି, କଟକ)
- ସଞ୍ଜୀବ କୁମାର ଶତପଥୀ (ଅତିରିକ୍ତ ଏସ୍ପି, ଏସଟିଏଫ)
- ସତ୍ୟ ନାରାୟଣ ପ୍ରଧାନ (ଅତିରିକ୍ତ ଏସ୍ପି, ଓଏଚଆରସି, ଭୁବନେଶ୍ୱର)
- ଅନନ୍ତ ପ୍ରସାଦ ମଲ୍ଲିକ (ଅତିରିକ୍ତ ଏସ୍ପି, ଭିଜିଲାନ୍ସ, ଜୟପୁର)
- ସୁବାଷ ଚନ୍ଦ୍ର ପଣ୍ଡା-ବି (ଅତିରିକ୍ତ ଏସ୍ପି, ଆଇୟୁସିଏଡବ୍ଲ୍ୟୁ, ନୟାଗଡ଼)

