ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖକୁ ଦେଶରେ ‘ଆଇଏସଟି (IST) ଡେ’ ବା ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ (ଭାରତୀୟ ମାନକ ସମୟ) ଦିବସ ଭାବେ ପାଳନ କରାଯାଏ । ୧୯୪୭ ମସିହା ସେପ୍ଟେମ୍ବର ୧ ତାରିଖରେ ଏହି ସମୟକୁ ସରକାରୀ ଭାବେ ସମଗ୍ର ଦେଶରେ ଲାଗୁ କରାଯାଇଥିଲା । ତେବେ ଗୋଟିଏ ଆଶ୍ଚର୍ଯ୍ୟର କଥା ହେଉଛି, ଫ୍ରାନ୍ସ ଭଳି ଅପେକ୍ଷାକୃତ ଛୋଟ ଦେଶରେ ଏକାଧିକ ଟାଇମ୍ ଜୋନ୍ ରହିଥିବା ବେଳେ ଭାରତ ଓ ଚୀନ୍ ଭଳି ବିଶାଳ ଦେଶରେ କେବଳ ଗୋଟିଏ ଟାଇମ୍ ଜୋନ୍ ବ୍ୟବହାର କରାଯାଏ। ଏହା ପଛରେ କେବଳ ଭୌଗୋଳିକ ସ୍ଥିତି ନୁହେଁ, ବରଂ ରାଜନୈତିକ ଏବଂ ପ୍ରଶାସନିକ ସୁବିଧା ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ସାଜିଛି ।
ଭାରତ ଏବଂ ଚୀନ୍ର କ୍ଷେତ୍ରଫଳ ଅତ୍ୟନ୍ତ ବିଶାଳ। ଭାରତର ପୂର୍ବାଞ୍ଚଳ ଯେପରିକି ଅରୁଣାଚଳ ପ୍ରଦେଶ ଓ ଆସାମରେ, ପଶ୍ଚିମାଞ୍ଚଳ ଅର୍ଥାତ ଗୁଜରାଟ ଓ ମହାରାଷ୍ଟ୍ର ତୁଳନାରେ ବହୁତ ଶୀଘ୍ର ସୂର୍ଯ୍ୟୋଦୟ ହୋଇଥାଏ। ସେହିପରି ଚୀନ୍ର ଭୂଭାଗ ଏତେ ବଡ଼ ଯେ ସେଠାରେ ସହଜରେ ୪ରୁ ୫ଟି ଟାଇମ୍ ଜୋନ୍ ହୋଇପାରନ୍ତା। କିନ୍ତୁ ଉଭୟ ଦେଶ ନିଜ ସମଗ୍ର ଭୂଭାଗ ପାଇଁ ଗୋଟିଏ ଟାଇମ୍ ଜୋନ୍ (ଭାରତରେ IST ଏବଂ ଚୀନରେ ବେଜିଂ ଟାଇମ୍) ଆପଣାଇଛନ୍ତି । ଦେଶରେ ପ୍ରଶାସନିକ ଏକତା ବଜାୟ ରଖିବା ସହ ରେଳବାଇ, ବ୍ୟାଙ୍କ, ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଏବଂ ବିମାନ ସେବା ପରିଚାଳନାରେ ଯେପରି କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନହୁଏ, ସେଥିପାଇଁ ଏହି ସିଙ୍ଗଲ୍ ଟାଇମ୍ ଜୋନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦୨୭ରୁ ଭାରତରେ ସମ୍ପୂର୍ଣ୍ଣ ରୂପେ ‘ଗୋଟିଏ ଦେଶ, ଗୋଟିଏ ସମୟ’ ନିୟମ କଡ଼ାକଡ଼ି ଲାଗୁ ହେବ ବୋଲି ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଅନ୍ୟପକ୍ଷରେ, ବିଶ୍ୱରେ ଅନେକ ଛୋଟ ଦେଶ ଅଛନ୍ତି ଯେଉଁମାନଙ୍କର ଏକାଧିକ ଟାଇମ୍ ଜୋନ୍ ରହିଛି। ଉଦାହରଣ ସ୍ୱରୂପ, ଫ୍ରାନ୍ସର କ୍ଷେତ୍ରଫଳ ଛୋଟ ହୋଇଥିଲେ ସୁଦ୍ଧା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହାର ଅନେକ ଦ୍ୱୀପ ଓ ଅଧୀନସ୍ଥ ଅଞ୍ଚଳ ଥିବାରୁ, ସେଠାରେ ଅନେକ ଟାଇମ୍ ଜୋନ୍ ବ୍ୟବହାର ହୁଏ। ସେହିପରି ପ୍ରଶାନ୍ତ ମହାସାଗରରେ ଥିବା ‘କିରିବାଟି’ ଭଳି ଛୋଟ ଦ୍ୱୀପରାଷ୍ଟ୍ର ସମୁଦ୍ର ମଧ୍ୟରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବାରୁ, ସେଠାରେ ସୂର୍ଯ୍ୟୋଦୟ ସମୟରେ ବ୍ୟାପକ ଫରକ ଦେଖାଯାଏ। ତେଣୁ ସେହି ଦେଶଟି ୩ଟି ଭିନ୍ନ ଟାଇମ୍ ଜୋନ୍ ବ୍ୟବହାର କରିବାକୁ ବାଧ୍ୟ ହୋଇଥାଏ।
ସାଧାରଣତଃ ପ୍ରତି ୧୫ ଡିଗ୍ରୀ ଦ୍ରାଘିମାରେ ସମୟର ଏକ ଘଣ୍ଟା ପରିବର୍ତ୍ତନ ହୋଇଥାଏ। ତଥାପି ଏକ ଟାଇମ୍ ଜୋନ୍ ନିର୍ଦ୍ଧାରଣ କରିବା କେବଳ ଏକ ଭୌଗୋଳିକ ପ୍ରକ୍ରିୟା ନୁହେଁ, ବରଂ ପ୍ରଶାସନ, ସୁରକ୍ଷା ଏବଂ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ତରରେ ନିଷ୍ପତ୍ତି ନିଆଯାଇଥାଏ।

