Abhinandan Varthaman: ଫାଇଟର ଜେଟ୍ରୁ ଏବେ ଯାତ୍ରୀବାହୀ ବିମାନ! ପାକିସ୍ତାନକୁ ଦେଇଥିଲେ ଚକମା…କାହିଁକି ବାୟୁସେନା ଛାଡ଼ିଲେ ‘ହିରୋ’ ଅଭିନନ୍ଦନ?
ନୂଆଦିଲ୍ଲୀ: ଯେଉଁ ପାଇଲଟ୍ଙ୍କ ନାଁ ଶୁଣିଲେ ମନେପଡ଼େ ୨୦୧୯ର ସେହି ଐତିହାସିକ ବାୟୁସଂଘର୍ଷ… ଏବେ ତାଙ୍କ ଜୀବନରେ ଆସିଛି ନୂଆ ଅଧ୍ୟାୟ। ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାରୁ ପ୍ରିମେଚ୍ୟୁର୍ ରିଟାୟରମେଣ୍ଟ ନେଇ ଏବେ କମର୍ସିଆଲ୍ ପାଇଲଟ୍ ହୋଇଛନ୍ତି। ଯେଉଁ ହାତ F-16କୁ ଟାର୍ଗେଟ୍ କରିଥିଲା, ସେହି ହାତ ଏବେ ଧରିବ ଯାତ୍ରୀବାହୀ ବିମାନର କଣ୍ଟ୍ରୋଲ୍! ୨୦୧୯ରେ ପାକିସ୍ତାନୀ F-16କୁ ମିଗ୍-୨୧ରେ ଧ୍ୱଂସ କରି ଚର୍ଚ୍ଚାକୁ ଆସିଥିବା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନ ବାୟୁସେନା ଛାଡି ଦେଇଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି, ଅଭିନନ୍ଦନ ବାୟୁସେନାର ଚାକିରି ଛାଡ଼ି ଏବେ ବେସରକାରୀ ବିମାନ ସେବାରେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି।
ସୂଚନା ଅନୁସାରେ, ଅଗଷ୍ଟ ମାସରୁ ସେ ଗୋଆଭିତ୍ତିକ ଆଞ୍ଚଳିକ ଏୟାରଲାଇନ୍ Fly91 ସହ ପାଇଲଟ୍ ଭାବେ କାମ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଅଭିନନ୍ଦନଙ୍କ ନିଯୁକ୍ତି ସମ୍ପର୍କରେ Fly91 ପକ୍ଷରୁ କୌଣସି ଅଧିକୃତ ସ୍ପଷ୍ଟୀକରଣ ଦିଆଯାଇନାହିଁ। କମ୍ପାନୀ କହିଛି, କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ଏକ ବ୍ୟକ୍ତିଗତ ବିଷୟ।
ପ୍ରାୟ ୨୨ ବର୍ଷ ବାୟୁସେନାରେ ସେବା କରିବା ପରେ ଅଭିନନ୍ଦନ ଚଳିତ ବର୍ଷ ମାର୍ଚ୍ଚ ୩୧ରେ IAF ଛାଡ଼ିଥିଲେ। ଆବଶ୍ୟକ ସେବା ଅବଧି ପୂରଣ କରିବା ସହ ଏନଓସି ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଉ ଏବେ ଅଗଷ୍ଟରୁ ଗୋଆଭିତ୍ତିକ ଆଞ୍ଚଳିକ ଏୟାରଲାଇନ୍ FLY91 ସହ ଯୋଡ଼ି ହୋଇଛନ୍ତି ଅଭିନନ୍ଦନ। ଏଠାରେ ସେ ATR ବିମାନର କମର୍ସିଆଲ୍ ପାଇଲଟ୍ ଭାବେ ଉଡ଼ାଣ ଭରିବେ।
କିନ୍ତୁ ଅଭିନନ୍ଦନଙ୍କ ପରିଚୟ କେବଳ ଜଣେ ସାଧାରଣ ପାଇଲଟ୍ ନୁହେଁ । ଅଭିନନ୍ଦନଙ୍କ ନାଁ ୨୦୧୯ର ଭାରତ-ପାକିସ୍ତାନ ବାୟୁସଂଘର୍ଷ ପରେ ସାରା ଦେଶରେ ପରିଚିତ ହୋଇଥିଲା। ପୁଲୱାମା ଆକ୍ରମଣ ପରେ ଭାରତର ବାଲାକୋଟ ଏୟାରଷ୍ଟ୍ରାଇକ୍ର ପରଦିନ, ଫେବ୍ରୁଆରୀ ୨୭ରେ ହୋଇଥିବା ବାୟୁସଂଘର୍ଷରେ ସେ ମିଗ୍-୨୧ ଉଡ଼ାଇ ପାକିସ୍ତାନୀ F-16କୁ ଟାର୍ଗେଟ୍ କରିଥିଲେ। ଏହାପରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ପାକିସ୍ତାନରେ ଧରାପଡ଼ିଥିଲେ ଏବଂ ପ୍ରାୟ ୩ ଦିନ ପରେ ଭାରତ ଫେରିଥିଲେ। ସେତେବେଳେ ପୂରା ଦେଶ ତାଙ୍କର ସାହସିକତାକୁ ସଲାମ କରିଥିଲା ।
ଦେଶ ପାଇଁ ସାହସିକତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ୨୦୨୧ରେ ଅଭିନନ୍ଦନଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା। ଆଉ ଏବେ ପ୍ରାୟ ୨୨ ବର୍ଷ ଦେଶ ସେବାରେ ଉତ୍ସର୍ଗ ହୋଇଥିବା ଅଭିନନ୍ଦନ ଏବେ ଫାଇଟର ଜେଟ୍ର କକପିଟ୍ରୁ ଯାତ୍ରୀବାହୀ ବିମାନର କକପିଟ୍କୁ ତାଙ୍କ ନୂଆ ଯାତ୍ରା ନେଇ ଚର୍ଚ୍ଚା ଜୋର ଧରିଛି।

