Janmashtami: ମଥୁରା-ବୃନ୍ଦାବନରେ ଧୁମଧାମରେ ପାଳନ ଜନ୍ମାଷ୍ଟମୀ…୫୦୦ ଡ୍ରୋନ୍ରେ ଆକାଶରେ ଦେଖାଯିବ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା
ଲକ୍ଷ୍ନୌ: ଆଜି ଦେଶବ୍ୟାପୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ମଥୁରା-ବୃନ୍ଦାବନରେ ଉତ୍ସବର ମାହୋଲ ବେଶ୍ ଭକ୍ତିମୟ ହୋଇଛି। ଜନ୍ମାଷ୍ଟମୀ ପାଇଁ ମଥୁରା ଓ ବୃନ୍ଦାବନକୁ ଭବ୍ୟ ଭାବେ ସଜାଯାଇଛି। ମନ୍ଦିର, ଚୌକ ଏବଂ ପ୍ରମୁଖ ରାସ୍ତାଗୁଡ଼ିକରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି।
ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇଦିନିଆ ମଥୁରା ଗସ୍ତରେ ଅଛନ୍ତି। ସେପ୍ଟେମ୍ବର ୩ରୁ ଆରମ୍ଭ ହୋଇଥିବା ଏହି ଗସ୍ତରେ ସେ ବୃନ୍ଦାବନରେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଜନ୍ମାଷ୍ଟମୀ ଅବସରରେ ସେ ବିଭିନ୍ନ ମନ୍ଦିରରେ ଦର୍ଶନ ମଧ୍ୟ କରୁଛନ୍ତି। ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଆଜି ମଙ୍ଗଳା ଆରତି ମଧ୍ୟ ଅନୁଷ୍ଠିତ ହୋଇଛି।
ତେବେ ଆଜିର ସବୁଠାରୁ ବଡ଼ ଆକର୍ଷଣ ହେବ ୫୦୦ ଡ୍ରୋନ୍ର ମେଗା ଶୋ। ବ୍ରଜ ତୀର୍ଥ ବିକାଶ ପରିଷଦର ସିଇଓ ଲକ୍ଷ୍ମୀ ନାଗପ୍ପନଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ୯ଟାରେ ଏହି ଶୋ ଆରମ୍ଭ ହେବ ଏବଂ ପ୍ରାୟ ଏକ ଘଣ୍ଟା ଚାଲିବ। ଆକାଶରେ ୫୦୦ ଡ୍ରୋନ୍ ମିଶି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ତାଙ୍କ ବାଲ୍ୟଲୀଳାର ବିଭିନ୍ନ ଆକୃତି ପ୍ରଦର୍ଶନ କରିବେ। ଏହି ଶୋ ଶ୍ରୀକୃଷ୍ଣ ଜନ୍ମଭୂମି ଅଞ୍ଚଳ ଓ ଏହାର ଆଖପାଖ ଆକାଶରେ ଆୟୋଜିତ ହେବ।
ଏହାସହ ଜନ୍ମାଷ୍ଟମୀ ଉତ୍ସବରେ ୧ ହଜାରରୁ ଅଧିକ କଳାକାର ବିଭିନ୍ନ ମଞ୍ଚରେ ସାଂସ୍କୃତିକ ପରିବେଷଣ କରିବେ। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ବାଲ୍ୟଲୀଳା, ବ୍ରଜ ସଂସ୍କୃତି ଓ କୃଷ୍ଣଭକ୍ତି ଉପରେ ଆଧାରିତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିବ।
ସମଗ୍ର ମଥୁରା-ବୃନ୍ଦାବନ ଏବେ ‘କୃଷ୍ଣମୟ’ ହୋଇଥିବା ବେଳେ, ରାତିର ୫୦୦ ଡ୍ରୋନ୍ ଶୋ ଚଳିତବର୍ଷର ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ପାଲଟିବାକୁ ଯାଉଛି।

