Latest Odisha News

BREAKING NEWS

ମହିଳା ଏସିଆ କପ୍ ୨୦୨୬: ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ଏସିଆ କପ୍ ୨୦୨୬ ରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ଏକତରଫା ତଥା ଐତିହାସିକ ବିଜୟ । ଦୁବାଇଠାରେ ଖେଳାଯାଇଥିବା ଏହି ଗ୍ରୁପ୍-ଏ ମୁକାବିଲାରେ ଭାରତୀୟ ଦଳ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରି ଏସିଆ କପ୍‌ରେ ନିଜର ଦବଦବା କାଏମ ରଖିଛି । ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ଦଳ ମାତ୍ର ୫୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଭାରତ ମାତ୍ର ୮.୪ ଓଭର ଅର୍ଥାତ୍ ୫୨ଟି ବଲ୍ ଖେଳି ୩ ୱିକେଟ୍ ବିନିମୟରେ ୫୭ ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ପାକିସ୍ତାନ ଦଳ ନିଷ୍ପତ୍ତି ନେଇଥିଲା, କିନ୍ତୁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସେମାନଙ୍କର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଥିଲା । ଆରମ୍ଭରୁ ୨୭ ରନ୍‌ରେ କୌଣସି ୱିକେଟ୍ ନ ହରାଇ ଏକ ସମ୍ମାନଜନକ ସ୍ଥିତିରେ ଥିବା ପାକିସ୍ତାନ, ପରେ ତାସର ଘର ପରି ଭୁସୁଡ଼ି ପଡ଼ିଥିଲା। ସମ୍ପୂର୍ଣ୍ଣ ପାକିସ୍ତାନ ଦଳ ୧୮.୧ ଓଭରରେ ମାତ୍ର ୫୫ ରନ୍ କରି ପାଭିଲିୟନ୍ ଫେରିଯାଇଥିଲା ।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ପାକିସ୍ତାନ ମହିଳା ଦଳର ସର୍ବନିମ୍ନ ସ୍କୋର। ପାକିସ୍ତାନ ପକ୍ଷରୁ କେବଳ ମୁନୀବା ଅଲୀ (୧୩ ରନ୍) ଏବଂ ଶୱାଲ ଜୁଲଫିକର (୧୪ ରନ୍) ଦୁଇ ଅଙ୍କ ଛୁଇଁପାରିଥିଲେ। ଭାରତ ପକ୍ଷରୁ ସ୍ପିନର ଶ୍ରୀ ଚାରଣୀ ଏବଂ ପ୍ରେମା ରାୱତ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେହିପରି ଅଲରାଉଣ୍ଡର ଦୀପ୍ତି ଶର୍ମା ଦୁଇଟି ଏବଂ ଶେଫାଳି ବର୍ମା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ ।

ମାତ୍ର ୫୬ ରନ୍‌ର ଏକ ସହଜ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ମଧ୍ୟ ଆଖିଦୃଶିଆ ନଥିଲା। ଓପନର୍ ଶେଫାଳି ବର୍ମା (୧୨ ରନ୍), ସ୍ମୃତି ମନ୍ଧାନା (୯ ରନ୍) ଏବଂ ପ୍ରତିକା ରାୱଲ (୪ ରନ୍) ଖୁବ୍ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ପାକିସ୍ତାନର ଅଧିନାୟିକା ଫାତିମା ସନା ହିଁ ଭାରତର ସମସ୍ତ ୩ଟି ୱିକେଟ୍ ନେଇଥିଲେ । ତେବେ ମାତ୍ର ୨୯ ରନ୍‌ରେ ୩ଟି ୱିକେଟ୍ ପଡ଼ିଯିବା ପରେ ଅଧିନାୟିକା ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମା ଦଳର ମଙ୍ଗ ଧରିଥିଲେ। ହରମନପ୍ରୀତ ଧୈର୍ଯ୍ୟର ସହ ଖେଳି ଅପରାଜିତ ୧୮ ରନ୍ ଏବଂ ଦୀପ୍ତି ଶର୍ମା ଅପରାଜିତ ୧୨ ରନ୍ କରି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ହରମନପ୍ରୀତ କୌର ଏକ ଚିତାକର୍ଷକ ଛକା ମାରି ମ୍ୟାଚ୍‌କୁ ଶେଷ କରିଥିଲେ ।

ଏହି ବିଶାଳ ବିଜୟ ସହ ଭାରତୀୟ ମହିଳା ଦଳ ନିଜର ବିଜୟ ଧାରା ବଜାୟ ରଖିବା ସହିତ ଏସିଆ କପ୍ ଗ୍ରୁପ୍-ଏ ର ଶୀର୍ଷ ସ୍ଥାନରେ ପହଞ୍ଚିଛି ।

Leave A Reply

Your email address will not be published.