Latest Odisha News

BREAKING NEWS

ବର୍ଷା ଦିନେ କାହିଁକି ବଢ଼ିଯାଏ ସାପ କାମୁଡ଼ିବା ଭୟ? ଜାଣନ୍ତୁ କାହିଁକି ଏହି ସମୟରେ ବିପଦ ସୃଷ୍ଟି କରନ୍ତି ସରୀସୃପ

ନୂଆଦିଲ୍ଲୀ: ଭାରତରେ ବର୍ଷାଋତୁ ଆରମ୍ଭ ହେବାମାତ୍ରେ ବନ୍ୟା, ଜଳଜମି ସମସ୍ୟା ଏବଂ ବିଭିନ୍ନ ଜଳବାହିତ ରୋଗ ସାଙ୍ଗକୁ ଆଉ ଏକ ମାର୍ତ୍ତିକ ସମସ୍ୟା ଗମ୍ଭୀର ରୂପ ନେଇଥାଏ, ଯାହା ହେଉଛି ସାପ କାମୁଡ଼ା। ପ୍ରତିବର୍ଷ ବର୍ଷା ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ା ଜନିତ ଦୁର୍ଘଟଣା ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥାଏ । ତେବେ ବର୍ଷଋତୁରେ ହଠାତ୍ ସାପଙ୍କର ପ୍ରାଦୁର୍ଭାବ ଏବଂ ମାନବ ସହ ସଂଘର୍ଷ କାହିଁକି ବଢ଼ିଯାଏ, ସେନେଇ ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ସାମ୍ନାକୁ ଆଣିଛନ୍ତି ।

ପ୍ରାକୃତିକ ପରିବେଶ ଏବଂ ଜଳବାୟୁର ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ବର୍ଷା ସମୟରେ ପ୍ରବଳ ବର୍ଷା ଓ ଜଳପ୍ରବାହ ଯୋଗୁଁ ମାଟି ତଳେ ଥିବା ସାପମାନଙ୍କର ଗାତ ଏବଂ ପ୍ରାକୃତିକ ଆଶ୍ରୟସ୍ଥଳୀଗୁଡ଼ିକ ଜଳମଗ୍ନ ହୋଇଯାଏ । ବର୍ଷା ଜଳରେ ଗାତ ପୂରିଯିବାରୁ ସାପମାନେ ବାଧ୍ୟ ହୋଇ ନିଜର ସୁରକ୍ଷିତ ଠିକଣା ଛାଡ଼ି ବାହାରକୁ ବାହାରିଆସନ୍ତି । ଏହି ସମୟରେ ସେମାନେ ଶୁଖିଲା ସ୍ଥାନ, କୃଷି ଜମି, ଗ୍ରାମାଞ୍ଚଳର ବସତି ଏପରିକି ଲୋକଙ୍କ ଘର ଭିତରକୁ ଆଶ୍ରୟ ପାଇଁ ଚାଲିଆସିଥାନ୍ତି ।

ଏହାବ୍ୟତୀତ, କୃଷି କାର୍ଯ୍ୟ ଏବଂ ଫସଲ ଅମଳ ସମୟରେ କୃଷକମାନେ କ୍ଷେତକୁ ଯିବା ସମୟରେ ସାପ ସଂସ୍ପର୍ଶରେ ଆସିବାର ସମ୍ଭାବନା ଅଧିକ ରହିଥାଏ। ବିଶେଷକରି ଗ୍ରାମାଞ୍ଚଳରେ ଲୋକମାନେ ସଚେତନ ନରହିଲେ ଏଭଳି ଦୁର୍ଘଟଣାର ଶିକାର ହୋଇଥାନ୍ତି । ଜଳବାୟୁ ପରିବର୍ତ୍ତନ, ବର୍ଷାର ଅନିୟମିତତା ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ସାପମାନଙ୍କର ସ୍ୱାଭାବିକ ଆବାସସ୍ଥଳୀ ନଷ୍ଟ ହେଉଛି, ଯାହା ସେମାନଙ୍କୁ ମାନବ ବସତି ଆଡ଼କୁ ଟାଣି ଆଣୁଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ବର୍ଷାଋତୁରେ ସାପ କାମୁଡ଼ା ଜନିତ ବିପଦକୁ ଏଡ଼ାଇବା ପାଇଁ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ । ଘର ଆଖପାଖ ପରିବେଶକୁ ପରିଷ୍କାର ରଖିବା, ଅଦରକାରୀ ବସ୍ତୁ କିମ୍ବା ଆର୍ଜବ୍ଦା ଜମା ନ କରିବା ଏବଂ ରାତିରେ ଚଳପ୍ରଚଳ ସମୟରେ ଟର୍ଚ୍ଚ ବ୍ୟବହାର କରିବା ଉଚିତ୍ । ଯଦି କାହାକୁ ସାପ କାମୁଡ଼େ, ତେବେ ଝଡ଼ଫୁଙ୍କ ନକରି ତୁରନ୍ତ ଡାକ୍ତରଖାନାକୁ ନେଇ ଆଣ୍ଟି-ସ୍ନେକ୍ ଭେନମ୍ ପ୍ରଦାନ କରିବା ଜୀବନ ରକ୍ଷା କରିବାର ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.