ଚେନ୍ନାଇ: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଦୁଲୀପ ଟ୍ରଫି ୨୦୨୬ ଫାଇନାଲ୍ ମ୍ୟାଚର ପ୍ରଥମ ଦିନରେ ଇଷ୍ଟ ଜୋନ୍ ଦୃଢ଼ ସ୍ଥିତି ଜାହିର କରିଛି । ସାଉଥ୍ ଜୋନ୍ ବିପକ୍ଷରେ ଅଧିନାୟକ ଇଶାନ କିଶନ ସ୍ମରଣୀୟ ଶତକୀୟ ପାରି ବଳରେ ଇଷ୍ଟ ଜୋନ୍ ପ୍ରଥମ ଦିନ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୩୮୫ ରନ୍ ସଂଗ୍ରହ କରିଛି । ଇଶାନ୧୨୨ଟି ବଲ୍ରୁ ନିଜର ଶତକ ପୂରଣ କରିଥିଲେ । ସେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧୧୧ ରନ୍ କରି ଅପରାଜିତ ଅଛନ୍ତି । ଏହା ଇଶାନ୍ଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରର ୧୦ମ ଶତକ । ଓପନର ଅଭିମନ୍ୟୁ ଈଶ୍ୱରନ୍ (୭୨ ରନ୍) ଏବଂ ଶିଖର ମୋହନ୍ (୮୫ ରନ୍) ମଧ୍ୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ବୈଭବ ସୂର୍ୟ୍ୟବଂଶୀ ୪୪ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ଦିନର ଖେଳ ଶେଷ ବେଳକୁ ଇଶାନ୍ କିଶନ୍ଙ୍କ ସହ କୁମାର କୁଶାଗ୍ର ମଧ୍ୟ କ୍ରିଜ୍ରେ ଅପରାଜିତ ରହିଛନ୍ତି ।
ଟିମ୍ ଇଣ୍ଡିଆର ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଦାବିଦାର ଥିବା ଇଶାନ୍ କିଶନ୍ଙ୍କ ଏହି ଆକର୍ଷଣୀୟ ପାରି ତାଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିଛି । ଏହି ମ୍ୟାଚ୍ରେ ନିଜ ଶତକୀୟ ପାରି ମାଧ୍ୟମରେ ଇଶାନ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୪,୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ୭୭ତମ ଓଭରରେ ସ୍ପିନର ଶ୍ରେୟସ ଗୋପାଳଙ୍କ ପ୍ରଥମ ବଲ୍ରେ ଆକର୍ଷଣୀୟ ଚୌକା ମାରି ୧୨୨ଟି ବଲ୍ରୁ ନିଜର ଶତକ ପୂରଣ କରିଥିଲେ । ତାଙ୍କ ପାରିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ଅଛି। ସାଉଥ୍ ଜୋନ୍ ଦଳରେ ମହମ୍ମଦ ସିରାଜ, ଦେବଦତ୍ତ ପାଡିକ୍କଲଏବଂ ତିଲକ ବର୍ମା (ଅଧିନାୟକ)ଙ୍କ ଭଳି ପ୍ରମୁଖ ତାରକା ଖେଳାଳି ସାମିଲ ଥିଲେ ସୁଦ୍ଧା ଇଷ୍ଟ ଜୋନ୍ ବ୍ୟାଟରଙ୍କ ଆକ୍ରମଣ ଆଗରେ ସେମାନଙ୍କ ବୋଲିଂ ଫିକା ପଡ଼ିଯାଇଥିଲା । ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ଇଶାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ, ଯାହା ଦଳ ପାଇଁ ସମ୍ପୂର୍ଣ୍ଣ ସଠିକ୍ ସାବ୍ୟସ୍ତ ହୋଇଛି ।

