Latest Odisha News

BREAKING NEWS

ଠକେଇ-ବ୍ଲାକ୍‌ମେଲିଂ ଘଟଣା:ଉତ୍ତରାଖଣ୍ଡରୁ ୨ ଅଭିଯୁକ୍ତ ଗିରଫ, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ ପରାମର୍ଶ…

ସମ୍ବଲପୁର:ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ଘଟଣାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଫେସବୁକ୍ ବିଜ୍ଞାପନ ଏବଂ ଫିସିଂ ଲିଙ୍କ୍ ମାଧ୍ୟମରେ ସାଇବର ଠକେଇର ଶିକାର ହୋଇ ପ୍ରାୟ ୭ ଲକ୍ଷ ଟଙ୍କା ହରାଇଥିଲେ । ଅଭିଯୋଗ ମିଳିବା ପରେ ସମ୍ବଲପୁର ସାଇବର ଥାନାରେ କେସ୍‌ ନମ୍ବର ୨୪/୨୦୨୬ରେ ଏକ ମାମଲା ରୁଜୁ କରି ସାଇବର ଟିମ୍‌ ତୁରନ୍ତ ତଦନ୍ତ ଆରମ୍ଭ କରି ଉତ୍ତରାଖଣ୍ଡରୁ ମୁଖ୍ୟ ଅଭିଯୁକ୍ତ ଉତ୍ତରାଖଣ୍ଡ ବାଜପୁର ଥାନା ଚକରପୁର ଗ୍ରାମର ଅବ୍ବାସ ଅଲ୍ଲୀ(୩୦)ଙ୍କୁ ଗିରଫ କରିଛି।

ତାଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯିବା ସହ ଅନ୍ୟ ୫ ଲକ୍ଷ ୫୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ହୋଲ୍ଡ କରାଯାଇଛି, ଯାହା ଫଳରେ ଶତପ୍ରତିଶତ ଅର୍ଥ ଉଦ୍ଧାର ସମ୍ଭବ ହୋଇପାରିଛି। ଏହି ଠକେଇର ମାଷ୍ଟରମାଇଣ୍ଡ ମାଲେସିଆରେ ରହି କାରବାର ଚଳାଉଥିବା ଜଣାପଡ଼ିଛି ଏବଂ ତାକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ଏସପି କହିଛନ୍ତି।

ଦ୍ୱିତୀୟ ସମ୍ବେଦନଶୀଳ ମାମଲାରେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ସ୍ନାପଚାଟ୍ ମାଧ୍ୟମରେ ଜାଲରେ ଫସାଇ କିଛିଟା ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରାଯାଇଥିଲା ।ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବ୍ଲାକମେଲ୍ କରିବା ସହ ତାଙ୍କ ମା’ଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ପଠାଇ ଧମକ ଦେଇଥିଲା। ଏହି ଘଟଣାରେ ସାଇବରଥାନାରେ କେସ ନମ୍ବର ୩୦ /୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପୂର୍ବକ ସାଇବର ଟିମ୍ ଉତ୍ତରାଖଣ୍ଡ ହରିଦ୍ୱାର ଥାନା ଅନ୍ତର୍ଗତ କାନଖଲ ଗ୍ରାମରୁ ଅଭିଯୁକ୍ତ ଆୟୁଷ ସାଇନି(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏସପି ଜନସାଧାରଣ ଓ ଅଭିଭାବକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରି କହିଛନ୍ତି ଯେ, ସୋସିଆଲ ମିଡିଆରେ ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ନ ରଖିବା, ଅଜଣା ଲିଙ୍କ ଉପରେ କ୍ଲିକ ନ କରିବା ଏବଂ ପିଲାମାନଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ ।

Leave A Reply

Your email address will not be published.