Latest Odisha News

BREAKING NEWS

ବଜାରରେ ନିଆଁ ଲଗାଇଲାଣି ପିଆଜ ଦର: ପାଇକାରୀ ଓ ଖୁଚୁରା ଦରରେ ଆକାଶ ପାତାଳ ଫରକ, ସରକାରୀ ନିୟନ୍ତ୍ରଣ ଫେଲ୍

ଭୁବନେଶ୍ୱର: ପାର୍ବଣ ଆରମ୍ଭ ହେବାକୁ ଯାଉଛି ଏହା ପୂର୍ବରୁ ଲୋକଙ୍କ ପାକେଟ ଉପରେ ବୋଝ ବଢିଛି । ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପୁଣି ଥରେ ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କଲାଣି ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ । ବଜାରରେ ପିଆଜ ଦର ଏବେ ସମ୍ପୂର୍ଣ୍ଣ ଉପରମୁହାଁ ହୋଇଛି, ଯାହା ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ସିଧାସଳଖ ମାଡ଼ କରୁଛି ।

ରାଜଧାନୀର ଖୁଚୁରା ବଜାରରେ ଗୋଟିଏ ଦିନରେ କିଲୋପିଛା ୫ ଟଙ୍କା ବୃଦ୍ଧି ପାଇ ପିଆଜ ଦର ୬୦ ଟଙ୍କା ପାର୍ କରିଛି। ଏପରିକି କେତେକ ସ୍ଥାନରେ ଏହା ୭୦ ଟଙ୍କା ମଧ୍ୟ ଛୁଇଁଲାଣି। ଆଶ୍ଚର୍ଯ୍ୟର କଥା ହେଉଛି, ପାଇକାରୀ ଓ ଖୁଚୁରା ବଜାର ଦର ମଧ୍ୟରେ ଥିବା ଆକାଶ ପାତାଳ ଫରକ, ଯାହା ପ୍ରଶାସନର ସ୍ଥାଣୁତାକୁ ପଦାରେ ପକାଇଛି ।

ଭୁବନେଶ୍ୱରର ପ୍ରମୁଖ ପାଇକାରୀ ବଜାର କୁବେରପୁରୀରେ କିଛି ଦିନ ତଳେ ପିଆଜ କିଲୋଗ୍ରାମ୍ ୨୦ରୁ ୨୨ ଟଙ୍କା ଥିଲା, ଯାହା ଏବେ ୩୮ରୁ ୪୨ ଟଙ୍କାରେ ବିକ୍ରି ହେଉଛି। ସ୍ୱାଭାବିକ ଭାବେ ଖୁଚୁରା ବଜାରରେ ଏହି ଦର କୌଣସି ପରିସ୍ଥିତିରେ ୫୦ ଟଙ୍କା ଟପିବା କଥା ନୁହେଁ । କିନ୍ତୁ କଳାବଜାରୀ ତଥା ଅସାଧୁ ବ୍ୟବସାୟୀଙ୍କ ମନମାନି ଯୋଗୁଁ ଏହା ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ପାଇକାରୀ ଓ ଖୁଚୁରା ଦର ମଧ୍ୟରେ ପ୍ରାୟ ୨୮ ଟଙ୍କାର ବିପୁଳ ପାର୍ଥକ୍ୟ ଦେଖିବାକୁ ମିଳୁଛି, ଯାହା ପ୍ରମାଣ କରୁଛି ଯେ ବଜାର ଉପରୁ ସରକାର ନିୟନ୍ତ୍ରଣ ହରାଇ ବସିଛନ୍ତି ।

ଆଗକୁ ମଧ୍ୟ ସ୍ଥିତି ସୁଧୁରିବାର କୌଣସି ଆଶା ଦେଖାଯାଉନାହିଁ। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନା ମୁତାବକ, ସାଧାରଣତଃ ଏହି ସମୟରେ ବେଙ୍ଗାଲୁରୁରୁ ନୂଆ ଫସଲ ଆସିବା ପରେ ଦର ନିୟନ୍ତ୍ରଣକୁ ଆସିଥାଏ। ମାତ୍ର ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ସେଠାରେ ବ୍ୟାପକ ପିଆଜ ଫସଲ ନଷ୍ଟ ହୋଇଯାଇଛି। ତେଣୁ ବେଙ୍ଗାଲୁରୁରୁ ପିଆଜ ଆସିବାର ସମ୍ଭାବନା ବହୁତ କମ୍। ଯଦି ପରିସ୍ଥିତି ଏଭଳି ରହେ, ତେବେ ଆଗାମୀ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟର ଖାଉଟିମାନଙ୍କୁ ଚଢ଼ା ଦରର ହନ୍ତସନ୍ତ ଭୋଗିବାକୁ ପଡ଼ିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ପିଆଜ ଦର ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ବର୍ଦ୍ଧିତ ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗତ ଅଗଷ୍ଟ ମାସରୁ ନିଜ ବଫର୍ ଷ୍ଟକ୍‌ରୁ ଏନ୍‌ସିସିଏଫ୍ ଏବଂ ନାଫେଡ୍ ଜରିଆରେ କିଲୋପିଛା ୩୫ ଟଙ୍କା ରିହାତି ଦରରେ ପିଆଜ ବିକ୍ରି କରୁଛନ୍ତି। ଏଥିପାଇଁ ୧୭ଟି ପ୍ରମୁଖ ସହରରେ ପ୍ରାୟ ୪ ହଜାର ଟନ୍ ପିଆଜ ଯୋଗାଇ ଦିଆଯାଇଛି। ଏପରିକି ଦିଲ୍ଲୀ ଓ ଚେନ୍ନାଇ ଭଳି ମହାନଗରକୁ ‘କାନ୍ଦା ଏକ୍ସପ୍ରେସ୍’ ନାମକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପିଆଜ ପଠାଯାଇଛି । ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଖୋଲାବଜାର ଉପରେ ଏହାର କୌଣସି ସକାରାତ୍ମକ ପ୍ରଭାବ ପଡ଼ିନାହିଁ ।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ପିଆଜର ହାରାହାରି ଖୁଚୁରା ଦର କିଲୋପିଛା ୪୮.୫୦ ଟଙ୍କାରୁ ବଢ଼ି ୫୦.୭୯ ଟଙ୍କାରେ ପହଞ୍ଚିଛି । ଜାତୀୟ ସ୍ତରରେ ହାରାହାରି ପାଇକାରୀ ଦର ୪୨.୭୯ ଟଙ୍କା ଥିବାବେଳେ, ଦିଲ୍ଲୀରେ ଖୁଚୁରା ଦର ୫୮ ଟଙ୍କା, ଚେନ୍ନାଇରେ ୬୩ ଟଙ୍କା, ମୁମ୍ବାଇରେ ୫୩ ଟଙ୍କା ଓ ରାଞ୍ଚିରେ ୪୦ ଟଙ୍କା ରହିଛି।

ଏଭଳି ସ୍ଥିତିରେ ପ୍ରଶାସନ ତୁରନ୍ତ ନିଦରୁ ଉଠି ସ୍ୱତନ୍ତ୍ର ସ୍କ୍ୱାଡ୍ ମାଧ୍ୟମରେ ଖୁଚୁରା ବଜାରରେ ଚଢ଼ାଉ କରିବା ଆବଶ୍ୟକ ବୋଲି ସଚେତନ ଖାଉଟି ମହଲରେ ଦାବି ହେଉଛି ।

Leave A Reply

Your email address will not be published.