ଭୁବନେଶ୍ୱର: ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ। ଦଶମ ଓ ଦ୍ବାଦଶ ପାଇଁ ଏଣିକି ଗୋଟିଏ ବୋର୍ଡ କାର୍ଯ୍ୟ କରିବ। ଗୋଟିଏ ବୋର୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏନେଇ ସୂଚନା ଦେଲେ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ। ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ବର୍ତ୍ତମାନ ଥିବା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE) ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ (CHSE) ବଦଳରେ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।
ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକଙ୍କ କହିବା ଅନୁଯାୟୀ, ଦଶମ ଓ ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଆଗାମୀ ଦିନରେ BSE ଓ CHSE ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ। ଉଭୟ ଶ୍ରେଣୀର ପରୀକ୍ଷା ଗୋଟିଏ ବୋର୍ଡ ଅଧୀନରେ କରାଯିବ। ଏହି ବ୍ୟବସ୍ଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଢାଞ୍ଚା ଭଳି ହେବ। ଯେପରି CBSE ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପରିଚାଳନା କରୁଛି, ସେହିପରି ଓଡ଼ିଶାରେ ମଧ୍ୟ ଗୋଟିଏ ବୋର୍ଡ ଉଭୟ ପରୀକ୍ଷା ପରିଚାଳନା କରିବ।
ସଚିବଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୋର୍ଡ ଗଠନ ହେଲେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନାରେ ବିଶେଷ ଅସୁବିଧା ହେବ ନାହିଁ। ଦୁଇଟି ବୋର୍ଡର କାର୍ଯ୍ୟକୁ ଏକାଠି କରାଯିବା ଫଳରେ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ଆସିବ ବୋଲି ସରକାର ଆଶା ରଖିଛନ୍ତି। ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରୁଛନ୍ତି। ଆଇନ ପ୍ରସ୍ତୁତ ହେବା ପରେ ଏହାକୁ ଆଗକୁ ନିଆଯିବ।
ଏହି ପରିବର୍ତ୍ତନ ଲାଗୁ ହେଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା, ଶିକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରକ୍ରିୟା ଗୋଟିଏ ବୋର୍ଡ ମାଧ୍ୟମରେ ପରିଚାଳିତ ହେବ। ଏହାଦ୍ୱାରା ଦୁଇଟି ବୋର୍ଡର ପୃଥକ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ। ବର୍ତ୍ତମାନ BSE ଦଶମ ଶ୍ରେଣୀ ସମେତ ବିଭିନ୍ନ ମାଧ୍ୟମିକ ପରୀକ୍ଷା ପରିଚାଳନା କରୁଥିବାବେଳେ CHSE +2 ଅର୍ଥାତ୍ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଓ ଫଳ ପ୍ରକାଶନ ଭଳି କାର୍ଯ୍ୟ କରୁଛି। ଗୋଟିଏ ବୋର୍ଡ ଗଠନ ହେଲେ ଦଶମରୁ ଦ୍ୱାଦଶ ଯାଏଁ ଶିକ୍ଷା ବ୍ୟବସ୍ଥାରେ ସମନ୍ୱୟ ବଢ଼ିବା ସହ ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ସରଳ ହୋଇପାରେ। ତେବେ ଏହି ବ୍ୟବସ୍ଥା କେବେଠାରୁ ଲାଗୁ ହେବ ଏବଂ ନୂଆ ବୋର୍ଡର ଗଠନ କିପରି ହେବ, ସେନେଇ ବିସ୍ତୃତ ସୂଚନା ମିଳିପାରି ନାହିଁ ।

